Spread the love

ନୂଆଦିଲ୍ଲୀ: ଆମେରିକା-ଇରାନ ମୁହାଁମୁହିଁ । ଥରୁଛନ୍ତି ଗଲ୍ଫ ଦେଶ । ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବେ ଏକ ଭୟଙ୍କର ରୂପ ନେବାରେ ଲାଗିଛି । ଗତକାଲି ରାତିରେ ଆମେରିକା ସେନା ପକ୍ଷରୁ ଇରାନ ଉପରେ ପୁଣି ଥରେ ଭୟଙ୍କର ଏୟାରଷ୍ଟ୍ରାଇକ ହୋଇଛି । ଲଗାତାର ସପ୍ତମ ରାତି ପାଇଁ ବୋମାବର୍ଷା କରିଛି ଆମେରିକା । ସେପଟେ ଆମେରିକାର ସହଯୋଗୀ ଦେଶଗୁଡ଼ିକ ଉପରେ ଇରାନ ପକ୍ଷରୁ କ୍ରମାଗତ ଭାବେ ହେଉଥିବା ଆକ୍ରମଣର ଜବାବରେ ଆମେରିକା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କହିଛି । ଇରାନର ଜଣେ ବରିଷ୍ଠ ସାମରିକ ପରାମର୍ଶଦାତା ଆମେରିକାକୁ ଚେତାବନୀ ଦେଇ କହିଛନ୍ତି, ଯଦି ଏହି ସପ୍ତାହ ଶେଷ ସୁଦ୍ଧା ଆମେରିକାର ଆକ୍ରମଣ ବନ୍ଦ ନହୁଏ, ତେବେ ଆଗାମୀ ଦିନରେ ଆମେରିକାକୁ ଏକ “ପୂର୍ଣ୍ଣକାଳୀନ ଆକ୍ରମଣ” ର ସାମ୍ନା କରିବାକୁ ପଡ଼ିପାରେ ।

ଆମେରିକା ସେନା ପକ୍ଷରୁ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ’ ନିକଟରେ ଥିବା ଇରାନର ଏକ ସର୍ଭେଲାନ୍ସ ଟାୱାରକୁ ଧ୍ୱଂସ କରାଯିବା ପରେ ଇରାନ ଉତ୍କ୍ଷିପ୍ତ ହୋଇପଡ଼ିଛି । ଇରାନର ସରକାରୀ ଗଣମାଧ୍ୟମ ‘ଫାର୍ସ’ ଅନୁଯାୟୀ, ଇରାନ ଏବେ ପାରସ୍ୟ ଉପସାଗରୀୟ ଦେଶଗୁଡ଼ିକର ପ୍ରମୁଖ ବନ୍ଦରଗୁଡ଼ିକୁ ଟାର୍ଗେଟ କରିବାକୁ ଧମକ ଦେଇଛି । ବନ୍ଦ ହେବା ଅବସ୍ଥାରେ ବିଶ୍ୱର ସବୁଠୁ ବ୍ୟସ୍ତବହୁଳ ସାମୁଦ୍ରିକ ମାର୍ଗ । ମାରିନ୍ ଟ୍ରାଫିକ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥ ଦେଇ ମାତ୍ର ୬ଟି ଜାହାଜ ଯାତାୟାତ କରିଛି । ଯାହା ସ୍ପଷ୍ଟ କରୁଛି ଯେ ଏହି ମାର୍ଗରେ ଯାଉଥିବା ଜାହାଜଗୁଡ଼ିକ କେତେ ବଡ଼ ବିପଦର ସାମ୍ନା କରୁଛନ୍ତି ।

ଏହି ଯୁଦ୍ଧ ପୂର୍ବରୁ ସାରା ବିଶ୍ୱର ପ୍ରାୟ ୨୦% ଅଶୋଧିତ ତୈଳ କେବଳ ହର୍ମୁଜ୍ ପ୍ରଣାଳୀ ଦେଇ ପରିବହନ କରୁଥିଲା । ଆଜି ସକାଳୁ କେତେକ ଉପସାଗରୀୟ ସାମ୍ରାଜ୍ୟ ଉପରେ ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି। ଯାହା ପରେ ସେଠାରେ ବିପଦର ସାଇରନ୍ ବାଜି ଉଠିଛି । କୁଏତ ସେନା ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି କହିଛି, “କୁଏତ ଏୟାର ଡିଫେନ୍ସ ବର୍ତ୍ତମାନ ଶତ୍ରୁପକ୍ଷର ଡ୍ରୋନ୍ ଆକ୍ରମଣର ମୁକାବିଲା କରୁଛି ।” ଆକାଶରେ ଶୁଣାଯାଉଥିବା ବିସ୍ଫୋରଣର ଶବ୍ଦ ପ୍ରକୃତରେ ସେମାନଙ୍କ ଏୟାର ଡିଫେନ୍ସ ଦ୍ୱାରା ଶତ୍ରୁ ଡ୍ରୋନକୁ ଖସାଇ ଦେବାର ଶବ୍ଦ ବୋଲି ସେନା ସ୍ପଷ୍ଟ କରିଛି । ବହାରିନର ଗୃହ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଜରୁରୀକାଳୀନ ସାଇରନ୍ ବଜାଯାଇଛି ।

ସାଧାରଣ ଜନତାଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି । ସାଉଦି ଆରବ ମଧ୍ୟ ଏହାର ଦୁଇଟି ପ୍ରମୁଖ ଅଞ୍ଚଳ ‘ୟାନବୁ’ ଏବଂ ‘ଅଲ-ଖାର୍ଜ’ ଗଭର୍ଣ୍ଣରେଟ୍ସରେ ସ୍ୱଳ୍ପ ସମୟ ପାଇଁ ହାଇ ଆଲର୍ଟ ଜାରି କରିଥିଲା । ତେବେ କିଛି ମିନିଟ୍ ପରେ ବିପଦ ଟଳିଯାଇଥିବା କହି ଏହି ଚେତାବନୀକୁ ପ୍ରତ୍ୟାହାର କରିନିଆଯାଇଛି । ଏହି ସାମଗ୍ରିକ ସ୍ଥିତି ସୂଚାଉଛି ଯେ ମଧ୍ୟପ୍ରାଚ୍ୟରେ ଲାଗିଥିବା ନିଆଁ ଏବେ ଆଖପାଖର ଅନ୍ୟ ଶାନ୍ତିପ୍ରିୟ ଦେଶଗୁଡ଼ିକୁ ମଧ୍ୟ ନିଜ କବ୍ ଜାକୁ ନେବା ଆରମ୍ଭ କଲାଣି ।

Leave a Reply

Your email address will not be published. Required fields are marked *