Spread the love

ନୂଆଦିଲ୍ଲୀ: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ ଆଣ୍ଡି ବର୍ନହାମ । ଜୁଲାଇ ୨୦ରୁ ସେ ଦେଶର ଶାସନ ଭାର ସମ୍ଭାଳିବେ। ବ୍ରିଟେନ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଘଟିଛି । ଶାସକ ‘ଲେବର ପାର୍ଟି’ର ନୂଆ ନେତା ଭାବେ ଆଣ୍ଡି ବର୍ନହାମ୍ ଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଏହା ସହିତ ସେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ସମ୍ପୂର୍ଣ୍ଣ ନିଶ୍ଚିତ ହୋଇଯାଇଛି। ଆସନ୍ତା ଜୁଲାଇ ୨୦ ତାରିଖ ସୋମବାର ଦିନ ସେ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ୧୦ ଡାଉନିଂ ଷ୍ଟ୍ରିଟ୍ ରେ କାର୍ଯ୍ୟଭାର ସମ୍ଭାଳିବେ ।

ବର୍ତ୍ତମାନର ପ୍ରଧାନମନ୍ତ୍ରୀ କେର ଷ୍ଟାର୍ମର ନିଜ ପଦରୁ ଇସ୍ତଫା ଦେବା ପରେ ଏହି ନେତୃତ୍ୱ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଲେବର ପାର୍ଟିର ୪୦୩ ଜଣ ସାଂସଦଙ୍କ ମଧ୍ୟରୁ ୩୭୯ ଜଣ ବର୍ନହାମ୍ ଙ୍କୁ ସମର୍ଥନ କରିଥିଲେ । କୌଣସି ପ୍ରତିଦ୍ୱନ୍ଦ୍ୱୀ ନଥିବାରୁ ସେ ବିନା ବାଧାରେ ଦଳର ସର୍ବୋଚ୍ଚ ନେତା ନିର୍ବାଚିତ ହୋଇଛନ୍ତି । ସୋମବାର ବିଦାୟୀ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର ଆନୁଷ୍ଠାନିକ ଭାବେ କିଙ୍ଗ ଚାର୍ଲ୍ସ ତୃତୀୟଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିବେ। ଏହାପରେ ମହାରାଜା ଚାର୍ଲ୍ସ ଆଣ୍ଡି ବର୍ନହାମ୍ ଙ୍କୁ ନୂଆ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବେ । ୨୦୧୬ ବ୍ରେକ୍ସିଟ୍ (Brexit) ଜନମତ ସଂଗ୍ରହ ପରଠାରୁ ବ୍ରିଟେନରେ ରାଜନୈତିକ ଅସ୍ଥିରତା ଲାଗି ରହିଛି ।

ଆଣ୍ଡି ବର୍ନହାମ୍ ବିଗତ ୧୦ ବର୍ଷ ମଧ୍ୟରେ ବ୍ରିଟେନର ୭ମ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଆଣ୍ଡି ବର୍ନହାମ୍ ଗ୍ରେଟର ମାଞ୍ଚେଷ୍ଟରର ମେୟର ଭାବେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଛନ୍ତି ଏବଂ ସେ ଜଣେ ଚମତ୍କାର ବକ୍ତା ଭାବେ ବେଶ୍ ପ୍ରସିଦ୍ଧ। ଦଳର ନେତା ନିର୍ବାଚିତ ହେବା ପରେ ନିଜର ପ୍ରଥମ ଅଭିଭାଷଣରେ ବର୍ନହାମ୍ କହିଛନ୍ତି, “ଆମେ ଜନସାଧାରଣଙ୍କୁ ପୁଣି ଥରେ ଆଶାର କିରଣ ଦେଖାଇବୁ । ଏହା ମୋ ପାଇଁ ଏବଂ ମୋ ପରିବାର ପାଇଁ ଏକ ଗର୍ବ ଓ ଭାବପୂର୍ଣ୍ଣ ମୁହୂର୍ତ୍ତ । ମୁଁ ଏହି ବଡ଼ ଦାୟିତ୍ୱ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ପ୍ରଧାନମନ୍ତ୍ରୀ ଆସନରେ ବସିବା ମାତ୍ରେ ବର୍ନହାମ୍ ଙ୍କୁ ଦେଶର ମନ୍ଥର ଅର୍ଥନୀତି, ବଢୁଥିବା ମୁଦ୍ରାସ୍ଫୀତି ଏବଂ ସାଧାରଣ ସେବା କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ କରିବାକୁ ପଡ଼ିବ । ସେ ଅର୍ଥନୈତିକ ସଂସ୍କାର, ମଡର୍ଣ୍ଣ ଇଣ୍ଡଷ୍ଟ୍ରିଆଲ୍ ଜବ୍ସ ଏବଂ ସାମାଜିକ କଲ୍ୟାଣ ଉପରେ ଅଧିକ ଗୁରୁତ୍ୱ ଦେବେ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *