Spread the love

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାମପୁର ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣ ଇଞ୍ଜିନିୟରଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ସେମାନେ ଯାଉଥିବା କାର୍‌ଟି ରାସ୍ତାରେ ଥୁଆ ହୋଇଥିବା ଏକ ଟ୍ରକ୍‌ ଉପରକୁ ମାଡ଼ିଯିବା ଫଳରେ ଏହି ଦୁଃଖଦ ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରୁ ଏକ କମ୍ପାନିର ୧୨ ଜଣ ବ୍ୟକ୍ତି ଛୁଟି ମନାଇବା ପାଇଁ ଉତ୍ତରାଖଣ୍ଡର ରାମନଗରସ୍ଥିତ ଜିମ୍‌କ‌ର୍ବେଟ୍‌ ପାର୍କକୁ ୨ଟି ଗାଡ଼ିରେ ଯାଇଥିଲେ। ଯେଉଁ ଗାଡ଼ିଟି ଦୁର୍ଘଟଣାର ଶିକାର ହୋଇଛି ସେଥିରେ ୭ ଜଣ ଥିଲେ। ଅନ୍ୟ ୫ ଜଣ ଅନ୍ୟ ଏକ ଗାଡ଼ିରେ ଥିଲେ।

ଫଳରେ ସେମାନେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଉକ୍ତ ୧୨ ଜଣ ବ୍ୟକ୍ତି ଏକାଠି ଦିଲ୍ଲୀର ଏକ ଟେକ୍‌ କମ୍ପାନିରେ କାମ କରୁଥିଲେ। ସେମାନେ କମ୍ପାନି ପରିଚାଳିତ ଟ୍ରିପ୍‌ରେ ଯାଇଥିବା ବେଳେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନେ ହେଉଛନ୍ତି ଅଭିଷେକ ଅଗ୍ନି‌ହୋତ୍ରୀ (୩୦), କାର୍ତ୍ତିକ (୨୪), ନୀରଜ (୨୪) ଓ ଗୁଲ୍‌ବୁଦ୍ଦିନ (୩୫)। ଦୁର୍ଘଟଣା ସମୟରେ ଅଭିଷେକ ଅଗ୍ନିହୋତ୍ରୀ ଗାଡ଼ି ଚଲାଉଥିଲେ। ମୃତକଙ୍କ ମଧ୍ୟରୁ ଜଣେ ବାଗପତର ଏବଂ ଅନ୍ୟ ୩ ଜଣ ଦିଲ୍ଲୀର। ଅଭିଷେକ, କାର୍ତ୍ତିକ ଓ ନିରଜଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଗୁଲ୍‌ବୁଦ୍ଦିନଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି। ସ୍ବାର୍‌-ତାଣ୍ଡା ରୋଡ୍‌ରେ ଆଜି ଭୋର ପ୍ରାୟ ୫ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗାଡ଼ିଟି ସମ୍ପୂର୍ଣ୍ଣ ଚେପା ହୋଇଯାଇଥିବାବେଳେ କାର୍‌କୁ କାଟି ମର ଶରୀରଗୁଡ଼ିକୁ ବାହାର କରାଯାଇଛି।

କାର୍‌ରେ ଥିବା ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ପରେ ଦିଲ୍ଲୀ ପଠାଯାଇଥିଲା। ପୁଲିସ ଅନୁଯାୟୀ ଡ୍ରାଇଭର ଗାଡ଼ି ଚଳାଇବା ବେଳେ ଘୁମାଇ ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ରାମପୁର ଏସ୍‌ପି ସୋମେନ୍ଦ୍ର ମୀନା ଖବର ପାଇ ସଙ୍ଗେସଙ୍ଗେ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲେ। ମୃତକମାନଙ୍କ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Leave a Reply

Your email address will not be published. Required fields are marked *