ଆମେରିକା : ବଦଲା ନେଲା ଆମେରିକା! । ଇରାନ ଉପରେ ଟ୍ରମ୍ପସେନାର ମିସାଇଲ ମାଡ଼!। ୮୦ଟି ଘାଟି ଧ୍ୱଂସ । ଇରାନର ସାମରିକ ଘାଟି ଉପରେ ବୋମାମାଡ କରିଛି ଆମେରିକା। କିଛି ସପ୍ତାହ ପୂର୍ବରୁ ହୋଇଥିବା ଅସ୍ଥାୟୀ ସରକାରୀ ଚୁକ୍ତିକୁ ବେଖାତିର କରି ଆମେରିକା ଓ ଇରାନ ମଧ୍ୟରେ ପୁଣି ଥରେ ଭୟଙ୍କର ସାମରିକ ସଂଘର୍ଷ ଆରମ୍ଭ ହୋଇଛି। ଇରାନର ଚେତାବନୀ ମଧ୍ୟରେ ଓମାନ ଉପକୂଳ ନିକଟରେ ୩ଟି ବୃହତ ବାଣିଜ୍ୟିକ ତେଲ ଟ୍ୟାଙ୍କର ଉପରେ ଡ୍ରୋନ୍ କିମ୍ବା ମିସାଇଲ ମାଡ଼ ହୋଇଥିଲା। ଏଥିମଧ୍ୟରେ କତାରର ଏଲ୍ ଏନ୍ ଜି ଟ୍ୟାଙ୍କର ‘ଅଲ୍-ରେକାୟାତ’ର ଇଞ୍ଜିନ ରୁମ୍ ରେ ନିଆଁ ଲାଗିଯାଇଥିବା ବେଳେ ସାଉଦି ଆରବର ଅଶୋଧିତ ତେଲ ଟ୍ୟାଙ୍କର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଆକ୍ରମଣ ପାଇଁ ଆମେରିକା ସିଧାସଳଖ ଇରାନକୁ ଦାୟୀ କରିଛି ।
ସାମୁଦ୍ରିକ ଆକ୍ରମଣର ଜବାବରେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଇରାନ ବିରୋଧରେ ବଡ଼ ଧରଣର ପୁନିଟିଭ୍ ଆକ୍ସନ ନେଇଛି। କେଶ୍ମ ଦ୍ୱୀପ, ବନ୍ଦର ଅବ୍ବାସ ଓ ସିରିକକୁ ଟାର୍ଗେଟ କରିଛି ଆମେରିକା । ପୂର୍ବ ଅପେକ୍ଷା ୪ରୁ ୫ ଗୁଣ ଅଧିକ ଶକ୍ତିଶାଳୀ ଆକ୍ରମଣରେ ଆମେରିକା ସେନା ଇରାନର ୮୦ରୁ ଅଧିକ ସାମରିକ ଲକ୍ଷ୍ୟସ୍ଥଳକୁ ଧ୍ୱଂସ କରିଦେଇଛି। ଇରାନ ରିଭୋଲ୍ୟୁସନାରୀ ଗାର୍ଡର ୬୦ରୁ ଅଧିକ ଛୋଟ ଯୁଦ୍ଧ ଡଙ୍ଗା, ମିସାଇଲ ଲଞ୍ଚିଂ ପ୍ୟାଡ୍, କମାଣ୍ଡ ସେଣ୍ଟର ଓ ଏୟାର ଡିଫେନ୍ସ ସିଷ୍ଟମ ସମେତ ଉପକୂଳବର୍ତ୍ତୀ ରାଡାର ଓ ଡ୍ରୋନ୍ ତିଆରି କାରଖାନା ଆକ୍ରମଣର ମୁଖ୍ୟ ଟାର୍ଗେଟ ଥିଲା। ଆକ୍ରମଣ ସହ ଆମେରିକା ଇରାନ ଉପରେ ଆର୍ଥିକ ଚାପ ବଢ଼ାଇଛି। ପୂର୍ବ ଚୁକ୍ତି ଅନୁସାରେ ଇରାନକୁ ମିଳିଥିବା ସୀମିତ ତେଲ ବିକ୍ରି ଲାଇସେନ୍ସକୁ ଟ୍ରମ୍ପଙ୍କ ପ୍ରଶାସନ ରଦ୍ଦ କରିଛି। ସଂଘର୍ଷ ଯୋଗୁଁ ଆନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ୍ ତେଲ ଦର ବ୍ୟାରେଲ ପିଛା ୭୬ ଡଲାର ପାର୍ କରିଯାଇଛି, ଯାହା ଆଗକୁ ବିଶ୍ୱରେ ମହଙ୍ଗା ସ୍ଥିତି ସୃଷ୍ଟି କରିପାରେ। ଏପଟେ ଇରାନର ଉପବୈଦେଶିକ ମନ୍ତ୍ରୀ ଆକ୍ରମଣକୁ ଚୁକ୍ତିର ଉଲ୍ଲଂଘନ ବୋଲି କହିବା ସହ ଆମେରିକାକୁ “କଠୋର ପରିଣାମ” ଭୋଗିବାକୁ ହେବ ବୋଲି ଚେତାବନୀ ଦେଇଛନ୍ତି। ଇରାନ ହରମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବାକୁ ଧମକ ଦେଇଛି। ରାଷ୍ଟ୍ରପତି ଟ୍ରମ୍ପ ଏବେ ନାଟୋ ସମ୍ମିଳନୀରେ ଥିବା ବେଳେ ଆମେରିକାର ବଡ଼ ପଦକ୍ଷେପ ପଶ୍ଚିମ ଏସିଆରେ ନୂଆ ଯୁଦ୍ଧର ସୂତ୍ରପାତ କରିବା ଆଶଙ୍କାକୁ ବଢ଼ାଇଛି। ସ୍ଥିତି ଏବେ ବି ଅତ୍ୟନ୍ତ ସମ୍ବେଦନଶୀଳ ରହିଛି ।