Spread the love

ବିଶୋଇ : ଗୋ ମାଫିଆଙ୍କୁ ଗୁପ୍ତ ତଥ୍ୟ ଯୋଗାଇବା ଏବଂ ପୁଲିସ ବିଭାଗର ବିଶ୍ୱାସନୀୟତା ଉପରେ ଆଞ୍ଚ ଆଣିବା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ପୁଲିସ ପକ୍ଷରୁ ନିଆଯାଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ। ଗୋ ମାଫିଆଙ୍କ ସହ ମଧୁଚନ୍ଦ୍ରିକା ରଖି ଖବର ଲିକ୍ କରିବା ଅଭିଯୋଗରେ ଝାରପୋଖରିଆ ଥାନାର ଜଣେ ଏଏସଆଇ ଏବଂ ଜଣେ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଜଣେ ହୋମଗାର୍ଡଙ୍କୁ ବହିଷ୍କାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ମୟୂରଭଞ୍ଜ ଏସପି ଏହି ତିନି କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ​ଏଏସଆଇ ରଣଜିତ ନାଏକ,​ କନେଷ୍ଟବଳ ଆଶିଷ ନାଏକ ଓ ​ହୋମଗାର୍ଡ ସୁବ୍ରତ ପାଢ଼ୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ​ସୂଚନା ଅନୁଯାୟୀ, ଗତ ଜୁନ୍ ୧୩ ତାରିଖରେ ମୟୁରଭଞ୍ଜ ଜିଲ୍ଲାରେ ଗୋ ମାଫିଆ ଓ ଗଞ୍ଜେଇ ମାଫିଆଙ୍କ ବିରୋଧରେ ଏକ ବଡ଼ ଧରଣର ଚଢ଼ାଉ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ଏହି କ୍ରମରେ ଝାରପୋଖରିଆ ଅଞ୍ଚଳର ଜଣେ ହାଇପ୍ରୋଫାଇଲ୍ ଗୋ ମାଫିଆଙ୍କ ଘରେ ଚଢ଼ାଉ କରିବାକୁ ପୁଲିସ ପ୍ରସ୍ତୁତ ହେଉଥିବା ବେଳେ ଥାନାର କିଛି କର୍ମଚାରୀ ସମ୍ପୃକ୍ତ ମାଫିଆଙ୍କୁ ପୂର୍ବରୁ ଗୁପ୍ତ ସୂଚନା ଦେଇଦେଇଥିଲେ।

ଫଳରେ ପୁଲିସ ଦଳ ସେଠାରେ ପହଞ୍ଚିବା ପୂର୍ବରୁ ହିଁ ଚତୁରତାର ସହ ମାଫିଆ ଜଣକ ଖସି ପଳାଇବାରେ ସଫଳ ହୋଇଥିଲେ। ​ପୁଲିସ ର ଏହି ବଡ ଧରଣର ରେଡ ଫେଲ୍ ହେବା ପଛର କାରଣ ଖୋଜୁ ଖୋଜୁ ଝାରପୋଖରିଆ ଥାନା ଆଇଆଇସିଙ୍କ ସନ୍ଦେହ ନିଜ କର୍ମଚାରୀଙ୍କ ଉପରକୁ ଯାଇଥିଲା। ବିଭାଗୀୟ ତଦନ୍ତ ପରେ ସ୍ପଷ୍ଟ ହୋଇଥିଲା ଯେ ଏଏସଆଇ ରଣଜିତ ନାଏକ, କନେଷ୍ଟବଳ ଆଶିଷ ନାଏକ ଏବଂ ହୋମଗାର୍ଡ ସୁବ୍ରତ ପାଢ଼ୀ ହିଁ ମାଫିଆଙ୍କୁ ସୂଚନା ଦେଇଥିଲେ। ​ଏହି ଗୁରୁତର ଶୃଙ୍ଖଳାଗତ ତ୍ରୁଟିକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଡୁପାଲି। ସେ ଦୁଇ ପୁଲିସ କର୍ମଚାରୀଙ୍କୁ ତତ୍କାଳ ନିଲମ୍ବନ କରିବା ସହ ହୋମଗାର୍ଡ ସୁବ୍ରତ ପାଢ଼ୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଓ ତାଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ଗୃହରକ୍ଷୀ ବାହିନୀର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ମୟୁରଭଂଜ ଅତିରିକ୍ତ ଏସପି ଦୀପକ ଗୋଛାୟତ ପ୍ରକାଶ କରିଛନ୍ତି ଅପରାଧୀଙ୍କ ସହ ସଲାସୁତୁରା କରୁଥିବା କୌଣସି କର୍ମଚାରୀଙ୍କୁ ଛଡ଼ାଯିବ ନାହିଁ। ପୁଲିସ ବିଭାଗର ସ୍ୱଚ୍ଛତା ଏବଂ ନିଷ୍ଠା ସବୁଠୁ ଉପରେ। ଯେଉଁମାନେ ଆଇନର ଗୋପନୀୟତା ଭଙ୍ଗ କରିବେ, ସେମାନଙ୍କ ବିରୋଧରେ ଏଭଳି କଠୋର ଆଭିମୁଖ୍ୟ ଜାରି ରହିବ।

Leave a Reply

Your email address will not be published. Required fields are marked *