Spread the love

ଭୁବନେଶ୍ୱର : ଆଇଏଏସ୍ ଅଫିସର ସାଜି ଲୁଟୁଥିଲା, ଶେଷରେ ପୋଲିସ ଜାଲରେ ପଡ଼ିଲା ଠକ ।  ଦାମୀ ଚଷମା କିଣି ଟଙ୍କା ନଦେବାରୁ ଖୋଲିଗଲା ନକଲି ସବ୍ କଲେକ୍ଟରର ଅସଲ ମୁଖା ।  ଭୁବନେଶ୍ୱରରେ ନିଜକୁ IAS ଅଧିକାରୀ ଓ ସବ୍ କଲେକ୍ଟର ପରିଚୟ ଦେଇ ଲୋକଙ୍କ ଉପରେ ରୋବାବ୍ ଜମାଉଥିଲା ବିଶାଖାପାଟଣାର ବରଦା ସୁଧୀର ।

ସରକାରୀ ଅଧିକାରୀର ପରିଚୟ ଦେଇ ବିଭିନ୍ନ ସ୍ଥାନରେ ସୁବିଧା ନେଉଥିବା ଅଭିଯୋଗ ରହିଛି । ରୂପାଲି ଅଞ୍ଚଳର ଏକ ଚଷମା ଦୋକାନରୁ ଦାମୀ ଚଷମା କିଣିବା ପରେ ଟଙ୍କା ଦେଇନଥିଲା ଅଭିଯୁକ୍ତ ।  ଟଙ୍କା ମାଗିବାରୁ ନିଜକୁ ବଡ଼  ଅଧିକାରୀ ବୋଲି ପରିଚୟ ଦେଇ ଧମକ ଦେବା ସହ ପ୍ରଭାବ ଖଟାଇବାକୁ ଚେଷ୍ଟା କରିଥିଲା ।  ଖବର ପାଇ ସହିଦନଗର ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ଯାଞ୍ଚ ବେଳେ ସବୁ ପରିଚୟ ନକଲି ବୋଲି ଜଣାପଡ଼ିବା ପରେ ତାକୁ ଗିରଫ କରାଯାଇଛି ।  ତଦନ୍ତରୁ ଜଣାପଡ଼ିଛି, ଅଭିଯୁକ୍ତ ପୂର୍ବରୁ ମଧ୍ୟ ନକଲି UPI ଏବଂ ଅନ୍ୟାନ୍ୟ ଠକେଇ ମାମଲାରେ ଜେଲ ଯାଇସାରିଛି ।  ଜାମିନରେ ଆସିବା ପରେ ପୁଣି ଥରେ ନୂଆ ପରିଚୟ ନେଇ ଠକେଇ ଜାଲ ବିଛାଇଥିଲା ।  ଏବେ ତାର ଠକେଇ ସାମ୍ରାଜ୍ୟର ଅଧିକ ଗୁମର ଖୋଲିବାକୁ ଖୋଳତାଡ଼ ଚଳାଇଛି ପୋଲିସ ।

Leave a Reply

Your email address will not be published. Required fields are marked *