ଭୁବନେଶ୍ବର: ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ କଡ଼ା ସୁରକ୍ଷା । ଜଗିବେ ୭୨ ପ୍ଲାଟୁନ୍ ଫୋର୍ସ, ଡ୍ରୋନ୍ ଓ ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର । ଆସନ୍ତା ୨୯ ଜୁନ୍ ରେ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମା । ଏହି ସମୟରେ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସର ସେଣ୍ଟ୍ରାଲ ରେଞ୍ଜ ଆଇଜିପି IGP ସତ୍ୟଜିତ୍ ନାୟକ ସୁରକ୍ଷା ବ୍ୟବସ୍ଥାର ବ୍ଲୁ-ପ୍ରିଣ୍ଟ ପ୍ରକାଶ କରିଛନ୍ତି। ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଏବଂ ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଇଜିପି ସତ୍ୟଜିତ୍ ନାୟକଙ୍କ ସୂଚନା ଅନୁସାରେ, ଶ୍ରୀମନ୍ଦିରର ଭିତର ଏବଂ ବାହାର ପାର୍ଶ୍ୱକୁ ଏକାଧିକ ସେକ୍ଟରରେ ବିଭକ୍ତ କରାଯାଇଛି। ସାରା ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୭୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ । ଏହା ସହିତ ସୁରକ୍ଷା ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଅତ୍ୟାଧୁନିକ ‘କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର’ ପ୍ରତିଷ୍ଠା କରାଯାଇଛି ।
ଯାହା ମାଧ୍ୟମରେ CCTV କ୍ୟାମେରା ଏବଂ ଡ୍ରୋନ୍ ସର୍ଭେଲାନ୍ସ ସାହାଯ୍ୟରେ ପ୍ରତିଟି ଗତିବିଧି ଉପରେ ନଜର ରଖାଯିବ । ଗାଡ଼ିମୋଟର ଚଳାଚଳକୁ ସହଜ କରିବା ପାଇଁ ଟ୍ରାଫିକ୍ ର ମଧ୍ୟ ସ୍ୱତନ୍ତ୍ର ରୁଟ୍ ମ୍ୟାପ୍ ପ୍ରସ୍ତୁତ ହୋଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆଇଜିପି ସମସ୍ତ ଭକ୍ତ ଏବଂ ନାଗରିକମାନଙ୍କୁ କିଛି ବିଶେଷ ଅନୁରୋଧ କରିଛନ୍ତି । ସମସ୍ତ ଶ୍ରଦ୍ଧାଳୁ ପୋଲିସ ଦ୍ୱାରା ଜାରି କରାଯାଇଥିବା ଟ୍ରାଫିକ୍ ଆଡଭାଇଜରୀ ଏବଂ ନିର୍ଦ୍ଧାରିତ ପ୍ରବେଶ ଓ ପ୍ରସ୍ଥାନ ପଥ ଅନୁସରଣ କରନ୍ତୁ । ଯଦି କୌଣସି ସ୍ଥାନରେ କୌଣସି ସନ୍ଦେହଜନକ ବସ୍ତୁ କିମ୍ବା ସାମଗ୍ରୀ ଦେଖିବାକୁ ମିଳେ, ତେବେ ତୁରନ୍ତ ସେ ବିଷୟରେ ପୋଲିସ କଣ୍ଟ୍ରୋଲ ରୁମ୍ କୁ ସୂଚନା ଦିଅନ୍ତୁ । ପ୍ରଶାସନର ଏହି ବ୍ୟାପକ ବ୍ୟବସ୍ଥା ଯୋଗୁଁ ଚଳିତ ବର୍ଷ ମଧ୍ୟ ଭକ୍ତମାନେ ମହାପ୍ରଭୁଙ୍କ ଗଜାନନ ବେଶ ବା ହାତୀ ବେଶକୁ ଅତି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ବୋଲି ଆଶା କରାଯାଉଛି ।