ବ୍ରହ୍ମପୁର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ବ୍ୟକ୍ତିଗତ ସହାୟକ (ପିଏ) ବୋଲି ପରିଚୟ ଦେଇ ଲୋକଙ୍କୁ ଠକେଇ କରୁଥିବା ଜଣେ ଯୁବକଙ୍କୁ ଟାଉନ୍ ଥାନା ପୋଲିସ୍ ଗିରଫ କରିଛି। ସେ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚମା ମହାନ୍ତି ସାହିର ଜଗନ୍ନାଥ ମଣ୍ଡଳ (୨୮)। ସେହିପରି ପୂର୍ବରୁ ଅଭିଯୁକ୍ତ ଜଗନ୍ନାଥ ମଣ୍ଡଳ ନାଁରେ ବଡ଼ବଜାର ଥାନା କେସ୍ ନଂ ୪୨୯/୨୪ ରେ ଗିରଫ ହୋଇ ଜେଲ ଯାଇଥିଲେ । ସୁରଟ ଓ ବ୍ରହ୍ମପୁରରେ ରହି ରାଜନୈତିକ ନେତାଙ୍କ ପିଏ ସାଜି କର୍ମୀଙ୍କୁ ଠକୁଥିଲେ ବୋଲି ଅଭିଯୋଗ ହୋଇଥିବା ପୋଲିସ ଜାଣିବାକୁ ପାଇଛି।ଏନେଇ ଵ୍ରହ୍ମପୁର ଏସପି ଡା.ସର୍ଵଣା ବିବେକ ଏମ. ଏକ ପ୍ରେସନୋଟ ଜରିଆରେ ଏନେଇ ସୂଚନା ଦେଇଛନ୍ତି।
ଅଭିଯୋଗକାରୀଙ୍କ ଦେଇଥିବା ମୋବାଇଲ ସ୍କ୍ରିନସଟ୍ ଓ ଗୋଟିଏ ସାମସଙ୍ଗ୍ ମୋବାଇଲ୍ ଫୋନ୍ ପୋଲିସ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି ।କେସ୍ ନଂ ୨୭୯/ ୨୬ ରେ ତାଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ଘଟଣାରୁ ପ୍ରକାଶ ଯେ,ଏପ୍ରିଲ୍ ୧ ତାରିଖ ରାତିରେ ରାଜେଶ କୁମାର ପାତ୍ର (୩୩)ଙ୍କ ହ୍ୱାଟ୍ସଆପ୍ ରେ କଲ୍ କରି ନୀତିନ ନବୀନ ବିଜେପି ସଭାପତିଙ୍କ ପିଏ ବୋଲି କହି,ଦଳୀୟ କାର୍ଯ୍ୟ ପାଇଁ ୫୦ ହଜାର ଟଙ୍କା ଦାବି କରିଥିଲେ ଏବଂ ଟଙ୍କା ନ ଦେଲେ ବିଧାୟକଙ୍କ ନିକଟରେ ଅଭିଯୋଗ କରିବାକୁ ଧମକ ଦେଇଥିଲେ।ସେହିପରି ଚିକିଟି ବିଧାୟକ ଙ୍କ ସହାୟକ ଗଣେଶ ନାୟକ (୨୩) ଙ୍କୁ ମଧ୍ୟ ସେହି ନମ୍ବରରେ କଲ୍ କରି ଅଭିଯୁକ୍ତ ୫୦ ହଜାର ଟଙ୍କା ମାଗିଥିଲେ। ଏହାକୁ ନେଇ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି ବୋଲି ପୋଲିସ ସୂଚନା ଦେଇଛି।