Spread the love

କାଶୀପୁର: ବିକାଶର ଡିଣ୍ଡିମ ପିଟୁଥିବା ସରକାରଙ୍କ ଗ୍ରାମାଞ୍ଚଳ ବିକାଶର ବାସ୍ତବ ଚିତ୍ର ପୁଣି ସାମ୍ନାକୁ ଆସିଛି। ରାସ୍ତା ନଥିବାରୁ ଅସୁସ୍ଥ ରୋଗୀଙ୍କୁ ଆମ୍ବୁଲାନ୍ସ ବଦଳରେ ଖଟିଆରେ ବୋହି ନଦୀ ପାର କରି ମୁଖ୍ୟ ରାସ୍ତାକୁ ଆଣିବାକୁ ପଡ଼ିଛି। ଏଭଳି ଅଭାବନୀୟ ଘଟଣା ରାୟଗଡ଼ା ଜିଲା କାଶୀପୁର ବ୍ଲକ ଡଙ୍ଗାସିଲି ପଞ୍ଚାୟତ ଅନ୍ତର୍ଗତ ସିସପାସ ଗ୍ରାମରେ ଦେଖିବାକୁ ମିଳିଛି l ସୂଚନାନୁଯାୟୀ, ସିସପାସ ଗ୍ରାମର ଗୋପୀନାଥ ସାହୁ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେବା ଜରୁରୀ ହୋଇଥିଲେ ମଧ୍ୟ ଗାଁକୁ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚିପାରିନଥିଲା। ଶେଷରେ ପରିବାର ଲୋକ ଓ ଗ୍ରାମବାସୀ ଗୋପୀନାଥଙ୍କୁ ଖଟିଆରେ ବୋହି ମୁଖ୍ୟ ରାସ୍ତା ଅଭିମୁଖେ ବାହାରିଥିଲେ।

ଗାଁଠାରୁ ମୁଖ୍ୟ ରାସ୍ତାର ଦୂରତା ପ୍ରାୟ ୨ କିମି ହୋଇଥିବାବେଳେ ରାସ୍ତା ମଝିରେ ରହିଛି ଏକ ନଦୀ। ନଦୀ ଉପରେ ପୋଲ ନଥିବାରୁ ବିପଦସଙ୍କୁଳ ଅବସ୍ଥାରେ ରୋଗୀଙ୍କୁ ଖଟିଆରେ ବୋହି ନଦୀ ପାର କରାଯାଇଥିଲା। ପରେ ପ୍ରାୟ ୨ କିମି ଖଟିଆରେ ବୋହି ମୁଖ୍ୟ ରାସ୍ତାକୁ ଆଣିବା ପରେ ସେଠାରୁ ଅଟୋ ଯୋଗେ ତାଙ୍କୁ ଟିକିରି ଉଷାପଡ଼ାସ୍ଥିତ ଡାକ୍ତରଖାନାକୁ ନିଆଯାଇଥିଲା। ସିସପାସ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦୀର୍ଘଦିନ ଧରି ଦାବି କରିଆସୁଛନ୍ତି। ହେଲେ ଏଯାଏଁ ଦାବି ପୂରଣ ହୋଇନଥିବାରୁ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ଦୂର ହେଉନାହିଁ। ବିଶେଷକରି ଗୁରୁତର ରୋଗୀ, ଗର୍ଭବତୀ ମହିଳା ଓ ବୃଦ୍ଧଙ୍କୁ ଜରୁରୀ ସମୟରେ ଖଟିଆରେ ବୋହି ନଦୀ ପାର କରାଇବାକୁ ପଡ଼ୁଛି। ତୁରନ୍ତ ଗାଁକୁ ପକ୍କା ରାସ୍ତା ଓ ନଦୀ ଉପରେ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *