ଭୁବନେଶ୍ୱର : ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାଇଲେଭଲ୍ ମିଟିଂ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା। ଗସ୍ତ ସମୟରେ ଯେପରି କୌଣସି ତ୍ରୁଟି ନରହେ, ସେଥିପାଇଁ ଗୃହ ବିଭାଗ ଓ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ । ଭିଆଇପି କାର୍ଯ୍ୟସୂଚୀ ସହ ସାଧାରଣ ଜନତାଙ୍କ ସୁବିଧାକୁ ପ୍ରାଥମିକତା ସହ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କଲା ପ୍ରଶାସନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ଓଡ଼ିଶା ଗସ୍ତକୁ ନେଇ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି ।
ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ଦୁଇ ପ୍ରମୁଖ ଭିଭିଆଇପି ଙ୍କ ଗସ୍ତ ଅବସରରେ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ବ୍ୟାପକ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ କାରକେଡ୍ ମୁଭମେଣ୍ଟ, ସୁରକ୍ଷା ପ୍ରୋଟୋକଲ୍ , ସଭାସ୍ଥଳ ପରିଚାଳନା ଏବଂ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ….. ସୁରକ୍ଷା ବ୍ୟବସ୍ଥାରେ ଯେପରି କୌଣସି ସାମାନ୍ୟ ତ୍ରୁଟି ନରହେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ, ଗୋଇନ୍ଦା ବିଭାଗ ଏବଂ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ଏବଂ ରାଜ୍ୟ ପୋଲିସ ମଧ୍ୟରେ ସଠିକ୍ ସମନ୍ୱୟ ରଖି ବ୍ଲୁ-ପ୍ରିଣ୍ଟ ଅନୁଯାୟୀ କାର୍ଯ୍ୟ କରିବାକୁ କୁହାଯାଇଛି। ଭିଆଇପି ସୁରକ୍ଷା ସହିତ ଟ୍ରାଫିକ ଡାଇଭର୍ସନ ସମୟରେ ଯେପରି ସାଧାରଣ ଲୋକେ ଏବଂ ବିଶେଷ କରି ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବା ବାଧାପ୍ରାପ୍ତ ନହୁଏ, ତାହା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ , ଗୃହ ସଚିବଙ୍କ ସମେତ ଅନ୍ୟାନ୍ୟ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଗସ୍ତକୁ ସଫଳ ଏବଂ ସୁରକ୍ଷିତ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ପ୍ରଶାସନ ତରଫରୁ ସୂଚନା ମିଳିଛି।