ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ନାବାଳିକାଙ୍କ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଅଭିଯୋଗ ମୁତାବକ, ଦୁଇ ଭଉଣୀ ଗାଁ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ୪ ଜଣ ଯୁବକ ସେଠାରେ ପହଞ୍ଚି ବଳପୂର୍ବକ ସାନ ଭଉଣୀକୁ ସେଠାରୁ ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି ।
ପରେ ଅତି ଅମାନୁଷିକ ଭାବେ ତାଙ୍କୁ ଗାଁ ନିକଟରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ ଚାରି ଅଭିଯୁକ୍ତ । ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଥିବା ପୀଡ଼ିତାଙ୍କ ବାପା କହିଛନ୍ତି । ତେବେ ଏହି ଘଟଣାକୁ ନେଇ ଭିନ୍ନ ବୟାନ ଦେଇଛି ପୋଲିସ । ପୋଲିସ ବୟାନ ମୁତାବକ ପୀଡ଼ିତାଙ୍କ ପୁରୁଷ ବନ୍ଧୁ ଏବଂ ତାଙ୍କର ଜଣେ ସହଯୋଗୀ ମିଶି ଦୁଇଭଉଣୀଙ୍କୁ ବାଇକ ଯୋଗେ ନିଛାଟିଆ ଜାଗାକୁ ନେଇ କଥା ହେଉଥିଲେ ।
ପରେ ପୀଡିତା ଏବଂ ଅଭିଯୁକ୍ତ ଏସକେ ମକବୁଲ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ । ଅନ୍ୟ ଜଣେ ଯୁବକ ଏସକେ ଟିପୁ ଏବଂ ପୀଡ଼ିତାଙ୍କ ଭଉଣୀ ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ ନଆସିବାରୁ ଘରକୁ ଫେରିଥିଲେ । ଏବଂ ଘରକୁ ଯାଇ ଏସ କେ ଟିପୁ ଅନ୍ୟ ଦୁଇ ସହଯୋଗୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ପରେ ପରିବାର ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରି ତିନି ଜଣ ଯୁବକ ଏସକେ ମକବୁଲ, ଏସକେ ଟିପୁ ଏବଂ ଏସକେ ଓମାନଙ୍କୁ ଅଟକ ରଖିଛି ।
ଅନ୍ୟ ଜଣେ ଏସକେ ଜ଼ବେଦ ବର୍ତ୍ତମାନ ଫେରାର ଅଛନ୍ତି । ଏନେଇ ପୋକ୍ସ ଆକ୍ଟ ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଏସପି ଦୀପକ କୁମାର ଗଚ୍ଛାୟତ । ତେବେ ପରିବାର ଲୋକଙ୍କ ଅଭିଯୋଗ ଏବଂ ପୋଲିସର ବୟାନ ମେଳ ଖାଉନଥିବାବେଳେ ପ୍ରକୃତରେ ଘଟଣା ପଛର ସତ୍ୟତା କଣ, ତାହା ଅଧିକ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।