Spread the love

ପାଟନା : ବିହାରର ରାଜଧାନୀ ପାଟନାର ପାଟଳିପୁତ୍ର ରେଳଷ୍ଟେସନରେ ଛାତ୍ରଙ୍କ ତୁମୂଳକାଣ୍ଡ । ପୋଲିସ ସିପାହୀ ପଦବୀ ଆଶାୟୀ ପରୀକ୍ଷାର୍ଥୀମାନେ ପ୍ରବଳ ହଙ୍ଗାମା କରିଛନ୍ତି । ଟ୍ରେନର ଅଭାବ ଏବଂ ଟ୍ରେନ ବିଳମ୍ବରେ ଚାଲୁଥିବା ଅଭିଯୋଗ କରି ହଜାର ହଜାର ସଂଖ୍ୟାରେ ଛାତ୍ରମାନେ ଷ୍ଟେସନ ପରିସରରେ ହଙ୍ଗାମା କରିଥିଲେ । ଉତ୍ତ୍ୟକ୍ତ ପରୀକ୍ଷାର୍ଥୀମାନେ ରେଳ ଧାରଣା ଅବରୋଧ କରିବା ସହ ଟ୍ରେନ ଉପରକୁ ପଥରମାଡ଼ କରିଛନ୍ତି ।

ଏଥିରେ ପରୀକ୍ଷା ସ୍ପେଶାଲ୍ ଟ୍ରେନର କାଚ ଭାଙ୍ଗିଯାଇଛି । ପଥରମାଡ଼ ଯୋଗୁଁ ସୁରକ୍ଷା ଦାୟିତ୍ୱରେ ଥିବା ଅନେକ ପୋଲିସକର୍ମୀ ଆହତ ହୋଇଛନ୍ତି । ଦୀର୍ଘ ସମୟ ଧରି ପାଟଲିପୁତ୍ର ଷ୍ଟେସନରେ ହଙ୍ଗାମା ଦେଖିବାକୁ ମିଳିଥିଲା । ଏଥିରେ ଆଇଜି ଜିତେନ୍ଦ୍ର ରଣା ସମେତ ଅନେକ ଥାନା ଇନଚାର୍ଜ ଆହତ ହୋଇଛନ୍ତି ।

ଖବର ମୁତାବକ, ବିହାରରେ କେନ୍ଦ୍ରୀୟ ଚୟନ ପରିଷଦ ଦ୍ୱାରା ଆୟୋଜିତ ସିପାହୀ ଭର୍ତ୍ତି ପରୀକ୍ଷା ପାଇଁ ବିଭିନ୍ନ ଜିଲ୍ଲାରୁ ପ୍ରବଳ ସଂଖ୍ୟାରେ ପରୀକ୍ଷାର୍ଥୀ ଷ୍ଟେସନରେ ପହଞ୍ଚିଥିଲେ । ରବିବାର ପରୀକ୍ଷା ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ । ଷ୍ଟେସନରେ ଟ୍ରେନ ଅଭାବ ଏବଂ ଟ୍ରେନଗୁଡ଼ିକ ବିଳମ୍ବ ହେତୁ ଛାତ୍ରଛାତ୍ରୀମାନେ ସେମାନଙ୍କର ପରୀକ୍ଷା ହରାଇବାର ଭୟ କରୁଥିଲେ । ଫଳରେ ଛାତ୍ରମାନେ ଷ୍ଟେସନରେ ଧାରଣାରେ ବସି ହଙ୍ଗାମା କରିଥିଲେ । ଟ୍ରେନକୁ ପଥରମାଡ଼ କରିବା ସହ ଟ୍ରେନର କାଚ ସବୁ ଭାଙ୍ଗିଦେଇଥିଲେ ।

ପରିସ୍ଥିତି ଅତି ଗମ୍ଭୀର ହେବା ପରେ ପୋଲିସ ପ୍ରଥମେ ଲାଠିଚାର୍ଜ କରିଥିଲା । ଏହା ପରେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ୩ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲା ।

ପାଟନାର ଜିଲ୍ଲାପାଳ କହିଛନ୍ତି ଯେ, ପରୀକ୍ଷାର୍ଥୀଙ୍କ ପାଇଁ ରେଳବାଇ ପକ୍ଷରୁ ସ୍ପେଶାଲ୍ ଟ୍ରେନର ବ୍ୟବସ୍ଥା କରାଯାଇଥିଲା । ମାତ୍ର କିଛି ଅସାମାଜିକ ଲୋକ ଛାତ୍ରମାନଙ୍କୁ ଉସୁକାଇ ହଙ୍ଗାମା କରିଥିଲେ । ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ ପରେ ବର୍ତ୍ତମାନ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ।

ତେବେ ଏହି ପରୀକ୍ଷା ପାଇଁ ୪୧୨୮ ପଦ ଖାଲିପଡିଥିବା ବେଳେ ଲିଖିତ ପରୀକ୍ଷା ୧୪ ଜୁନ୍ ରୁ ୧୭ ଜୁନ ଯାଏଁ ଆୟୋଜିତ ହେଉଛି । ଦୁଇଟି ସିଫ୍ଟରେ ପରୀକ୍ଷା ହେଉଛି । ତେଣୁ ଷ୍ଟେସନରେ ଏତେମାତ୍ରାରେ ଭିଡ଼ ଲାଗି ରହିଥିଲା ।

Leave a Reply

Your email address will not be published. Required fields are marked *