ସମ୍ବଲପୁର: ବିଦ୍ୟୁତ ଆଘାତରେ ଚାଲିଗଲା ହାତୀର ଜୀବନ । ସମ୍ବଲପୁର ସଦର ବନାଞ୍ଚଳ ଅନ୍ତର୍ଗତ ବଦୁଆ ପାଳି ଝାଙ୍କରବାହାଲି ରାସ୍ତାର ଡେରା ନିକଟରେ ଏକ ହାତୀର ମୃତଦେହ ଉଦ୍ଧାର ହୋଇଛି । ମୃତ ହାତୀର ବୟସ ୧୫ବର୍ଷ ହେବ ବୋଲି ଜଣାପଡିଛି । ଧମା ଥାନା ଅନ୍ତର୍ଗତ ବଦୁଆପାଲି ଗ୍ରାମ ନିକଟସ୍ଥ ଏକ ବେସରକାରୀ ଆମ୍ବ ତୋଟା(ବଗିଚା)କୁ ପଶିବା ପାଇଁ ଉକ୍ତ ମାଈ ହାତୀ ଉଦ୍ୟମ କରୁଥିଲା । ଏହି ସମୟରେ ଏହାର ପାଚେରୀରେ ଖଞ୍ଜା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା । ବିଦ୍ୟୁତ ଆଘାତ ଏତେ ପ୍ରଖର ଥିଲା ଯେ ଘଟଣାସ୍ଥଳରେ ହିଁ ହାତୀଟିର ମୃତ୍ୟୁ ଘଟିଛି ।
ଏହି ଖବର ପାଇ ବନଖଣ୍ଡ ଅଧିକାରୀ(ଡିଏଫଓ) ସୁଦର୍ଶନ ଗୋପୀନାଥ ଯାଦବ, ଆରସିସିଏଫ ଆର.କେ ସ୍ବାଇଁ, ରେଞ୍ଜର ପ୍ରଶାନ୍ତ ଓରାମ ଏବଂ ଫରେଷ୍ଟର କେଶବ ଓରାମଙ୍କ ସମେତ ବହୁ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ କରିଛନ୍ତି ।