ରାଜନଗର: ବଢିଲା ପଟ୍ଟାମୁଣ୍ଡାଇ ଅବକାରୀ ଏସଆଇଙ୍କ ଅଡୁଆ । ରାଜନଗର ଥାନାରେ ଏସଆଇ ଛାୟାକାନ୍ତ ନାୟକଙ୍କ ନାଁରେ ମାମଲା ରୁଜୁ ହୋଇଛି । ରାଜନଗର ବରାଦିଆ ଗାଁର ବିନୋଦ ଦାସ ନାମକ ଯୁବକଙ୍କୁ ଥାର୍ଡ ଡିଗ୍ରୀ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଗତ ୩୧ ତାରିଖରେ ରାଜନଗର ଥାନାରେ ଅଭିଯୋଗ କରିଥିଲେ ବିନୋଦ । ଅଭିଯୋଗ ଆଧାରରେ ତାଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ ।
ଅଭିଯୋଗ ଅନୁଯାୟୀ, ବରାଦିଆ ଗାଁରେ ଅନେକ ଦିନ ଧରି ଚୋରା ମଦ କାରବାର ହୋଇ ଆସୁଥିଲା । ଏହାକୁ ନେଇ ବିନୋଦ ବାରମ୍ବାର ଅବକାରୀ ବିଭାଗକୁ ଜଣାଇଥିଲେ । ଅବକାରୀ ବିଭାଗର ଏସଆଇ ଛାୟାକାନ୍ତ ନାୟକ ଓ ଅନ୍ୟ କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚି ଚଢ଼ାଉ କରିବା ସମୟରେ ବିନୋଦ ଏହାର ଭିଡ଼ିଓ ଉତ୍ତୋଳନ କରିଥିଲେ । ଏଥିରେ ରାଗିଯାଇ ଏସଆଇ ଛାୟାକାନ୍ତ ନାୟକଙ୍କ ସମେତ ଅନ୍ୟ କର୍ମଚାମାନେ ତାଙ୍କୁ ଗାଡି ଭିତରେ ପୁରାଇ ନିର୍ଧୁମ ମାଡ଼ ମାରିଥିଲେ । ଏପରିକି ରାଜନଗର ଥାନାରେ ତାଙ୍କୁ ୧୧ ଘଣ୍ଟା ଅଟକ ରଖିଥିଲେ ।