Spread the love

ଦକ୍ଷିଣ ଆଫ୍ରିକା : ଦକ୍ଷିଣ ଆଫ୍ରିକାରୁ ଏକ ଘଟଣା ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ବନ୍ୟାରେ ନିଖୋଜ ହୋଇଥିବା ଜଣେ ହୋଟେଲ ମାଲିକ ଗାବ୍ରିଏଲ୍ ବାଟିଷ୍ଟାଙ୍କ ଦେହାବଶେଷ ଏକ ବିଶାଳ କୁମ୍ଭୀରର ପେଟରୁ ଉଦ୍ଧାର କରାଯାଇଛି । ଯାହାର ପ୍ରମାଣ କୁମ୍ଭୀରର ପୋଷ୍ଟମର୍ଟମରୁ ଜଣାପଡିଛି ।

ସୂଚନାନୁଯାୟୀ,  ୫୯ ବର୍ଷୀୟ ଗାବ୍ରିଏଲ୍ ବାଟିଷ୍ଟା ବନ୍ୟାର ସ୍ରୋତରେ ଭାସିଯାଇ କୋମାଟି ନଦୀରେ ନିଖୋଜ ହୋଇଯାଇଥିଲେ । ସେହି ନଦୀଟି କୁମ୍ଭୀରମାନଙ୍କ ଉପଦ୍ରବ ଥିବାରୁ ବ୍ୟକ୍ତି ଜଣଙ୍କ କୁମ୍ଭୀରଙ୍କ ଟାର୍ଗେଟରେ ଥାଇପାରନ୍ତି ବୋଲି ସନ୍ଦେହ କରାଯାଇଥିଲା । ପରେ ଉଦ୍ଧାରକାରୀ ଦଳ ଡ୍ରୋନ୍ ଏବଂ ହେଲିକପ୍ଟର ସାହାଯ୍ୟରେ ନଦୀ ଏବଂ ଆଖପାଖ ଅଞ୍ଚଳରେ କିଛି ଦିନ ଧରି ଖୋଜାଖୋଜି କରିଥିଲେ । କିଛି ଦିନ ପରେ ଉଦ୍ଧାରକାରୀ ଦଳ ଏକ ବଡ଼ କୁମ୍ଭୀର ଦେଖିଥିଲେ, ଯାହା ଅନ୍ୟ କୁମ୍ଭୀରମାନଙ୍କଠାରୁ ଭିନ୍ନ ଥିଲା । କୁମ୍ଭୀରଟି ପାଣିରେ ନ ବୁଲି ନଦୀ କୂଳରେ ପଡି ରହିଥିଲା ଏବଂ ତା’ର ପେଟ ଫୁଲି ଯାଇଥିବା ଭଳି ଦେଖିବାକୁ ମିଳିଥିଲା । ଏଭଳି ଅବସ୍ଥାରେ କୁମ୍ଭୀରଟିକୁ ଦେଖିବା ପରେ ଅଧିକାରୀମାନେ ସନ୍ଦେହ କରିଥିଲେ ଯେ ସେ କିଛି ବଡ଼ ଜିନିଷ ଖାଇଛି । ତେଣୁ କୁମ୍ଭୀରଟିକୁ ମାରିବାକୁ ଅଧିକାରୀମାନେ ନିଷ୍ପତ୍ତି ନେଇଥିଲେ । କୁନ୍ତୁ ଏହା ଖୁବ୍ ବିପଦପୂର୍ଣ୍ଣ ଥିଲା ।

ଏହା ପରେ ଏହି ବିପଦପୂର୍ଣ୍ଣ ଅଭିଯାନ ଆରମ୍ଭ ହୋଇଥିଲା । ଜଣେ ପୋଲିସ ଅଧିକାରୀଙ୍କୁ ଏକ ହେଲିକପ୍ଟରରୁ ଏକ ରଶି ସାହାଯ୍ୟରେ କୁମ୍ଭୀରଙ୍କ ଉପଦ୍ରବ ସ୍ଥାନକୁ ଓହ୍ଲାଇଦିଆଯାଇଥିଲା । ଅଧିକାରୀ ଜଣକ ନିଜ ଜୀବନକୁ ବାଜି ଲଗାଇ କୁମ୍ଭୀରଟିକୁ ରଶିରେ ବାନ୍ଧି ଦେଇଥିଲେ । ପରେ କୁମ୍ଭୀରଟିକୁ ଉଦ୍ଧାର କରି ତଦନ୍ତ କରାଯାଇଥିଲା । କୁମ୍ଭୀରଟିର ପେଟରୁ ମଣିଷର କଟା ହାତ, ପଞ୍ଜରାର କିଛି ଅଂଶ ଏବଂ ମାଂସର ଖଣ୍ଡ ଥିଲା । ଗୋଟିଏ ଆଙ୍ଗୁଠିରେ ଏକ ମୁଦି ମଧ୍ୟ ମିଳିଥିଲା । ଯାହା କୁମ୍ଭୀରର ପୋଷ୍ଟମର୍ଟମରୁ ଜଣାପଡିଥିଲା । ଏହା ନିଖୋଜ ବ୍ୟବସାୟୀଙ୍କ ଶରୀର ବୋଲି କୁହାଯାଉଛି ।

ଏଥିସହ ମିଳିଥିବା ଅଂଶଗୁଡିକୁ ଚିହ୍ନଟ କରିବାକୁ ବର୍ତ୍ତମାନ ଡିଏନଏ ପରୀକ୍ଷା ଚାଲିଛି ଯାହା ଦ୍ୱାରା ଏହା ପ୍ରକୃତରେ ଗାବ୍ରିଏଲ୍ ବାଟିଷ୍ଟାଙ୍କର କି ନାହିଁ ତାହା ନିଶ୍ଚିତ ହୋଇପାରିବ । ଅନ୍ୟପଟେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *