Spread the love

ଉଜ୍ଜୟିନୀ: ଧର୍ମ ଏବଂ ଆଧ୍ୟାତ୍ମିକତାର ନଗରୀ ଉଜ୍ଜୟିନୀରେ ସିଂହସ୍ଥ ୨୦୨୮ ମସିହାର ପ୍ରସ୍ତୁତି ପାଇଁ ଚାଲିଥିବା ରାସ୍ତା ପ୍ରଶସ୍ତୀକରଣ ଅଭିଯାନ ମଧ୍ୟରେ ଏକ ଅନନ୍ୟ ଏବଂ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି । ଫେଲ ମାରିଲେ ଇଂଜିନିୟର୍ସ । କାମ କଲାନି ବଡ଼ ବଡ଼ ଜେବିସି ଓ କ୍ରେନ୍ ।  ନିଜ ସ୍ଥାନରୁ ହଟିଲେନି ମହାବୀର । ଖଡ଼େ ହନୁମାନଙ୍କୁ ହଟାଇପାରିଲେନି କୌଣସି ବାହୁବଳ । ଉଜ୍ଜୟିନୀର ସତୀ ଗେଟ୍ ନିକଟରେ ଥିବା ୧୭୦ ବର୍ଷ ପୁରୁଣାର ପ୍ରଭୁ ହନୁମାନଙ୍କ (ଖଡ଼େ ହନୁମାନ) ମୂର୍ତ୍ତି ନୂଆ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଗତ ୨ ଦିନ ଧରି କାମ କରୁଛନ୍ତି । ତଥାପି ବଡ଼ ବଡ଼ ଜେସିବି ଓ କ୍ରେନ୍ ବ୍ୟବହାର କରିବା ସତ୍ତ୍ୱେ ମଧ୍ୟ ନିଜ ସ୍ଥାନରୁ ଟିକେ ହେଲେ ପ୍ରତିମାଟି ହଲିନାହିଁ ।

୨୦୨୮ କୁମ୍ଭମେଳା ପାଇଁ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ମନ୍ଦିର ଗଠନକୁ ଭାଙ୍ଗି ଦିଆଯାଇଛି । କିନ୍ତୁ ପ୍ରାୟ ୮ ଫୁଟ ଉଚ୍ଚର ଏହି ଐତିହାସିକ ମୂର୍ତ୍ତିକୁ ଘୁଞ୍ଚାଇବା ପାଇଁ ୪୦ ରୁ ୪୮ ଘଣ୍ଟା ଧରି କରାଯାଇଥିବା ସମସ୍ତ ଚେଷ୍ଟା ବିଫଳ ହୋଇଛି । ମୂର୍ତ୍ତିକୁ ଘୁଞ୍ଚାଇବା ପାଇଁ ଅତିକମରେ ୪ ଥର ଭାରି ଜେସିବି ମେସିନ୍ ଏବଂ କ୍ରେନର ସାହାଯ୍ୟ ନିଆଯାଇଥିଲେ ମଧ୍ୟ ମୂର୍ତ୍ତିଟି ସେମିତି ରହିଛି । ଉଦ୍ଧାର କାର୍ଯ୍ୟ ସମୟରେ ପ୍ରଥମ ଦିନ ସର୍ଟ ସର୍କିଟ୍ ହୋଇ ନିଆଁ ଲାଗିଯାଇଥିଲା ଏବଂ ଦ୍ୱିତୀୟ ଦିନ ପ୍ରବଳ ବର୍ଷା ହେବା ଫଳରେ କାମ ବନ୍ଦ ରଖିବାକୁ ପଡ଼ିଥିଲା । ପ୍ରତ୍ନତତ୍ତ୍ୱ ବିଭାଗ ଚେତାବନୀ ଦେଇଛି ଯେ ଅଧିକ ବଳ ପ୍ରୟୋଗ କଲେ ଏହି ପ୍ରାଚୀନ ପଥର ମୂର୍ତ୍ତିରେ ଫାଟ ସୃଷ୍ଟି ହୋଇପାରେ କିମ୍ବା ଏହା ଭାଙ୍ଗିଯାଇପାରେ । ପ୍ରଶାସନ ବର୍ତ୍ତମାନ ଏହି ପ୍ରକ୍ରିୟାକୁ ସ୍ଥଗିତ ରଖିଛି ।

ସେପଟେ ମୂର୍ତ୍ତି ଉପରେ ଏକ ଅସ୍ଥାୟୀ ଚାଳିଆ କରାଯାଇଛି ଏବଂ ଆଗକୁ ବଢ଼ିବା ପୂର୍ବରୁ ମୂର୍ତ୍ତିର ମୂଳଦୁଆକୁ ଆଧୁନିକ ବୈଷୟିକ ସ୍କାନିଂ କରିବାକୁ ଯୋଜନା ଚାଲିଛି । ସ୍ଥାନୀୟ ଶ୍ରଦ୍ଧାଳୁ, ପୂଜକ ଏବଂ ହିନ୍ଦୁ ସଂଗଠନଗୁଡ଼ିକ ଏହାକୁ ଏକ ଅଲୌକିକ ଶକ୍ତି ବୋଲି ଭାବୁଛନ୍ତି । ବାବା ହନୁମାନ ନିଜ ସ୍ଥାନରୁ ଘୁଞ୍ଚିବାକୁ ଚାହୁଁନାହାନ୍ତି ବୋଲି ସେମାନଙ୍କର ବିଶ୍ୱାସ ରହିଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚର୍ଚ୍ଚା ଆହୁରି ବଢ଼ିଯାଇଛି । ମନ୍ଦିର ଭଙ୍ଗାଯିବା ସମୟରେ ସେଠାରେ ବହୁ ସଂଖ୍ୟାରେ ମାଙ୍କଡ଼ ବା ବାନର ସେନା ରୁଣ୍ଡ ହୋଇଥିଲେ ବୋଲି ଦେଖିବାକୁ ମିଳିଛି । ମୂର୍ତ୍ତିର ସମ୍ପୂର୍ଣ୍ଣ ସୁରକ୍ଷା ନିଶ୍ଚିତ ହୋଇନାହିଁ, ସେ ପର୍ଯ୍ୟନ୍ତ କୌଣସି ଜୋରଜବରଦସ୍ତ ପଦକ୍ଷେପ ନିଆନଯାଉ ବୋଲି ମନ୍ଦିରର ମୁଖ୍ୟ ପୂଜକ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *