ଉତ୍ତରପ୍ରଦେଶ : ଗ୍ରେଟର ନୋଏଡା ଇଷ୍ଟର୍ଣ୍ଣ ପେରିଫେରଲ ଏକ୍ସପ୍ରେସ ଓେ୍ବରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ସ୍ବାମୀ ସ୍ତ୍ରୀଙ୍କ ସମେତ ୩ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣାରେ ୭ ବର୍ଷର ପିଲା ମଧ୍ୟ ଆହତ ହୋଇଛି । ଘଟଣାସ୍ଥଳରେ କୋତୱାଲି ପୋଲିସ ପହଞ୍ଚି ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଛି ।
ଖବର ମୁତାବକ, ବାରାଣସୀର ଅଜଗରା ନିବାସୀ ୩୦ ବର୍ଷୀୟ ବିବେକ ପୁତ୍ର ରାଜେଶ ହରିୟାଣାର ଭିୱାଡି ସ୍ଥିତ ଏକ ବେକରୀ କମ୍ପାନୀରେ କାମ କରୁଥିଲେ । ତାଙ୍କ ପତ୍ନୀ ଏବଂ ୭ ବର୍ଷର ଝିଅକୁ ନେଇ କାରରେ ବାରାଣସୀ ଯାଉଥିଲେ । ରାତିରେ ୩ଟାରେ ଏମାନଙ୍କ କାର୍ ଗ୍ରେଟର ନୋଏଡା ଇଷ୍ଟର୍ଣ୍ଣ ପେରିଫେରଲ ଏକ୍ସପ୍ରେସ ଓେ୍ବର ଅଣ୍ଡରପାସ୍ ନିକଟରେ ଟ୍ରକ ହଠାତ୍ ବ୍ରେକ ମାରିବାରୁ କାର୍ ଟ୍ରକ ତଳେ ପଶିଯାଇଥିଲା । ଦୁର୍ଘଟଣାରେ କାର୍ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ଆଉ ଏଥିରେ ଥିବା ୩ ଜଣ ଫସିଯାଇଥିଲେ ।
ଘଟଣାରେ ୩ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଜଣେ ଛୋଟ ଶିଶୁ ଆହତ ରହିଛି । ଦୁର୍ଘଟଣା ବିଷୟରେ ଖବର ପାଇ ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲା । ସେଠାରେ ୩ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା । ହେଲେ ପିଲାଟିର ଅବସ୍ଥା ଗୁରୁତର ରହିଛି ।
ଘଟଣା ପରେ ଟ୍ରକ ଚାଳକ ଫେରାର ହୋଇଯାଇଛି । ମୃତକଙ୍କ ପରିବାର ପକ୍ଷରୁ ଟ୍ରକ ଡ୍ରାଇଭର ନାଁରେ କେସ୍ ଦାୟର କରାଯାଇଛି । ପୋଲିସ ଟ୍ରକକୁ ଜବତ କରିଛି । ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି ।