Spread the love

ବିହାର : ବିହାରର ୩ଟି ଜିଲ୍ଲାରେ ଖରାପ ପାଗ ଯୋଗୁଁ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଥିଲା । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ କ୍ଷତିପୂରଣ ଘୋଷଣା କରିଛନ୍ତି ।

ସୂଚନାନୁଯାୟୀ, ବିହାରର ପାଟନା ସମତେ ଅନେକ ଅଞ୍ଚଳରେ ଖରାପ ପାଗ ଯୋଗୁଁ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ଯାହାର ସୂଚନା ଜଣେ ଅଧିକାରୀ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଏକ ବିବୃତ୍ତି ଅନୁସାରେ ଖରାପ ପାଗ ଯୋଗୁଁ ପୂର୍ବ ଚମ୍ପାରଣରେ ୫ ଜଣ, ଗୟାଜୀ ଜିଲ୍ଲାରେ ୪ ଜଣ ଏବଂ ଔରଙ୍ଗାବାଦ ଜିଲ୍ଲାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ଅନ୍ୟପଟେ ସମ୍ରାଟ ଚୌଧୁରୀ ଏହି ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି । ସମସ୍ତ ପରିସ୍ଥିତିରେ ରାଜ୍ୟ ସରକାର ପ୍ରଭାବିତ ପରିବାର ସହିତ ଠିଆ ହୋଇଛନ୍ତି ବୋଲି ମଧ୍ୟ ସେ କହିଛନ୍ତି । ଏଥିସହ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ଖରାପ ପାଗ ସମୟରେ ସତର୍କ ରହିବାକୁ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ବାରା ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *