ଲାହୋର: ପାକିସ୍ତାନର ଲାହୋରରେ ଲସ୍କର-ଇ-ତୋଇବାର ଫାଉଣ୍ଡର ସଦସ୍ୟ ଓ କୁଖ୍ୟାତ ଆତଙ୍କୀ ଆମିର ହମଜା ଉପରେ ଆଖିବୁଜା ଗୁଳିମାଡ଼ । ମିଳିଥିବା ସୂଚନା ଅନୁସାରେ, ହମଜା ଲାହୋରରେ ଥିବା ଏକ ନ୍ୟୁଜ ଚ୍ୟାନେଲ ଅଫିସରୁ ଏକ କାର୍ଯ୍ୟକ୍ରମ ସାରିବା ପରେ ଘରକୁ ଯାଉଥିବା ବେଳେ ଏହି ଘଟଣା ଘଟିଛି । ଏହି ଆକ୍ରମଣରେ ସେ ଗୁରୁତର ଭାବରେ ଆହତ ହୋଇ ବର୍ତ୍ତମାନ ହସ୍ପିଟାଲରେ ଜୀବନ ଏବଂ ମୃତ୍ୟୁ ସହ ଲଢୁଛନ୍ତି ।
ଖବର ମୁତାବକ, ଆଜି ସକାଳ ୧୦ ସମୟରେ, ପାକିସ୍ତାନର ଲାହୋରରେ କାରରେ ବସିଥିବା ଆମିର ହମଜାଙ୍କ ଉପରେ ଅଜଣା ବନ୍ଧୁକଧାରୀ ଏକ ନ୍ୟୁଜ ଚ୍ୟାନେଲର କାର୍ଯ୍ୟାଳୟ ବାହାରେ ଟାର୍ଗେଟ କରିଥିଲେ । ଆକ୍ରମଣ କରି ସେମାନେ ଫେରାର ହୋଇଯାଇଛନ୍ତି । ଏହାପରେ ହମଜାକୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ଜଣାପଡିଛି । ତାଙ୍କ ଡାହାଣ ହାତରେ ଗୁଳି ବାଜିଛି ।
ତେବେ ତାଙ୍କ ଅବସ୍ଥା ଠିକ୍ ଥିବା ନେଇ ଫଟୋ ଜାରି କରି ଲସ୍କର-ଏ-ତୋଏବାର ପାକିସ୍ତାନ ମରକଜୀ ମୁସଲିମ ଲିଗ ଜାରି କରି ଦାବି କରାଯାଇଛି କି, ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଯାଇଛି ବୋଲି କୁହାଯାଇଛି ।
ଆମିର ହମଜା ଆତଙ୍କବାଦୀ ହାଫିଜ୍ ସଇଦ ସହ ମିଶି ଲସ୍କରର ମୂଳଦୁଆ ରଖିଥିବା ପ୍ରମୁଖ ବ୍ୟକ୍ତି । ତାକୁ ଲସ୍କରର ବୈଚାରିକ ପ୍ରଚାର-ପ୍ରସାର ଓ ଫଣ୍ଡ ଏକାଠି କରିବା ନେଇ ବିଶେଷଜ୍ଞ ଭାବରେ ଜଣାଯାଏ । ଏହାଛଡା ‘କାଫିଲ ଦାଓ୍ବତ’ ଓ ଶହାଦତ ଭଳି ବହୁ ବିବାଦୀୟ ପୁସ୍ତର ଲେଖି ସାରିଛି ।