ସାମୁଦ୍ରିକ ତଥ୍ୟ ସଂସ୍ଥା ଲଏଡ୍ସ ଲିଷ୍ଟ ଇଣ୍ଟେଲିଜେନ୍ସ ଅନୁସାରେ, ଜୁଲାଇ ୭ ପରଠାରୁ ୧୦ ହଜାର ଟନ୍ରୁ ଅଧିକ କ୍ଷମତା ବିଶିଷ୍ଟ କୌଣସି ବଡ଼ ଜାହାଜ ଜଳପଥ ଦେଇ ଯାତାୟାତ କରିନାହିଁ। ଯଦିଓ ଅତିକମ୍ରେ ଦୁଇଟି ଜାହାଜ ପରିଚୟ ବ୍ୟବସ୍ଥା ବନ୍ଦ ରଖି ଏହି ପଥ ଅତିକ୍ରମ କରିଥିବା ଅନୁମାନ କରାଯାଉଛି। ସାମୁଦ୍ରିକ ଗୁଇନ୍ଦା ସଂସ୍ଥା ୱିଣ୍ଡୱାର୍ଡ କହିଛି, ବୁଧବାର ଓ ଗୁରୁବାର ସକାଳ ସୁଦ୍ଧା ମାତ୍ର ପାଞ୍ଚଟି ଜାହାଜ ଏହି ପ୍ରଣାଳୀ ଦେଇ ଯାଇଥିବା ରେକର୍ଡ ହୋଇଛି। ସୋମବାର ଏହି ସଂଖ୍ୟା ୪୫ ଥିଲା। ଯୁଦ୍ଧ ଆରମ୍ଭ ପୂର୍ବରୁ ପ୍ରତିଦିନ ପ୍ରାୟ ୧୩୦ଟି ଜାହାଜ ଏହି ପଥ ବ୍ୟବହାର କରୁଥିଲେ।
ବ୍ରିଟେନର ୟୁକେ ମାରିଟାଇମ୍ ଟ୍ରେଡ୍ ଅପରେସନ୍ସ କହିଛି, ଉଚ୍ଚ ବିପଜ୍ଜନକ ପରିସ୍ଥିତି ଯୋଗୁ ଜାହାଜ ଚଳାଚଳ କମ୍ପାନିଗୁଡ଼ିକ ସତର୍କ ନୀତି ଆପଣାଇଛନ୍ତି। ୟୋକୋସୁକା କାଉନସିଲ୍ ଅନ୍ ଏସିଆ ପାସିଫିକ୍ ଷ୍ଟଡିଜ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜନ୍ ବ୍ରାଡଫୋର୍ଡ କହିଛନ୍ତି, ସଂଘର୍ଷ ଦୀର୍ଘସ୍ଥାୟୀ ହେଲେ ଜାହାଜ କମ୍ପାନିଗୁଡ଼ିକ ବିକଳ୍ପ ବନ୍ଦର ଓ ସମୁଦ୍ରପଥକୁ ଅଧିକ ଗୁରୁତ୍ୱ ଦେଇପାରନ୍ତି। ଇରାନ ପାରସ୍ୟ ଉପସାଗର, ହର୍ମୁଜ ପ୍ରଣାଳୀ ଓ ଓମାନ ଉପସାଗରରେ ଜାହାଜ ଉପରେ ଆକ୍ରମଣ କରିବାର କ୍ଷମତା ରଖିଥିବାରୁ ସମଗ୍ର ଅଞ୍ଚଳର ଜାହାଜ ଚଳାଚଳ ବିପଦରେ ରହିଛି।
ଏପଟେ ଆମେରିକା ପକ୍ଷରୁ ଇରାନର ବିଭିନ୍ନ ଠିକଣା ଉପରେ ଆକ୍ରମଣ ପରେ ଦକ୍ଷିଣ ଇରାନରେ ଏକାଧିକ ବିସ୍ଫୋରଣ ଘଟିଛି। ତେବେ ଏହି ସଦ୍ୟତମ ଆକ୍ରମଣ ସହ ଆମେରିକାର ସମ୍ପୃକ୍ତି ନ ଥିବା ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ଇରାନ ଦାବି କରିଛି ଯେ, ଆମେରିକାର ଆକ୍ରମଣର ପ୍ରତିଶୋଧ ସ୍ୱରୂପ ବାହାରିନ, କୁଏତ୍, କତର, ଜୋର୍ଡାନ ଓ ଇରାକରେ ଥିବା ଆମେରିକୀୟ ସାମରିକ ଠିକଣାକୁ ନିଶାଣ କରାଯାଇଛି।
ଏହି ଉତ୍ତେଜନା ସତ୍ତ୍ୱେ ଅନ୍ତର୍ଜାତୀୟ ତୈଳ ବଜାରରେ ବଡ଼ ଧରଣର ଅସ୍ଥିରତା ଦେଖାଯାଇନାହିଁ। ବ୍ରେଣ୍ଟ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୬.୫୮ ଡଲାରରେ ସ୍ଥିର ରହିଛି। ତେବେ ବିଶେଷଜ୍ଞମାନେ କହିଛନ୍ତି, ତୈଳ ଭଣ୍ଡାର କମିବା ସହ ଆଗାମୀ କିଛି ସପ୍ତାହରେ ଯୋଗାଣ ଉପରେ ଚାପ ବଢ଼ିବ ଏବଂ ବ୍ରେଣ୍ଟ ତୈଳ ଦର ଆହୁରି ୧୦ରୁ ୧୫ ଡଲାର ପର୍ଯ୍ୟନ୍ତ ବଢ଼ିପାରେ। ବିଶେଷକରି ମଧ୍ୟପ୍ରାଚ୍ୟ ଓ ରୁଷିଆର ବିଶୋଧନାଗାରରେ ଉତ୍ପାଦନ ବାଧାପ୍ରାପ୍ତ ହେବାରୁ ଡିଜେଲ ଦର ଉପରେ ଅଧିକ ଚାପ ପଡ଼ୁଛି।