ଜଙ୍କିଆ: ଖୋର୍ଦ୍ଧାଜିଲ୍ଲା ଜାନକିଆ ଥାନା ଅନ୍ତର୍ଗତ ହାଜ ପଞ୍ଚାୟତ ଅଫିସ ନିକଟସ୍ଥ ଶାଗୁଆନ ଜଙ୍ଗଲରେ ପୁଲିସ ଏକ ବଡ଼ଧରଣର ନିଶା କାରବାରକୁ ପଣ୍ଡ କରିଦେଇଛି। ଏହି ଚଢ଼ାଉରେ ପୁଲିସ ପ୍ରାୟ ୫୨ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ୨୮ ମିନିଟରେ ଜାନକିଆ ଥାନା ଏସ.ଆଇ କେଶବ ଚନ୍ଦ୍ର ବେହେରା ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ ଯେ, ହଜ ପଞ୍ଚାୟତ ନିକଟସ୍ଥ ଜଙ୍ଗଲ ମଧ୍ୟରେ କିଛି ବ୍ୟକ୍ତି ବ୍ରାଉନସୁଗାର କାରବାର କରୁଛନ୍ତି। ଏହି ଖବର ଆଧାରରେ ସେ ଥାନା ଆଇଆଇସି ସୁଶାନ୍ତ କୁମାର ବେହେରାଙ୍କ ନିର୍ଦ୍ଦେଶରେ ନିଜର ପୋଲିସ ଫୋର୍ସ ଏବଂ ଦୁଇଜଣ ସରକାରୀ ସାକ୍ଷୀଙ୍କ ସହ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ।
ପୁଲିସ ଘଟଣାସ୍ଥଳରୁ ଦୁଇଜଣ ବ୍ୟକ୍ତିଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ୫୨ ଗ୍ରାମ ବ୍ରାଉନସୁଗାର ,ନଗଦ ଟଙ୍କା ୨୮,୪୦୦ ଟଙ୍କା, ଗୋଟିଏ ମାରୁତି ସୁଜୁକି ୱାଗନର (OD-02-CK-5074), ଗୋଟିଏ ମାରୁତି ସୁଜୁକି ଡିଜାୟାର (OD-33-AF-5839), ଗୋଟିଏ ହିରୋ ସ୍ପ୍ଲେଣ୍ଡର ପ୍ଲସ ମୋଟର ସାଇକେଲ (OR-02-AF-2449), ଗୋଟିଏ ଟିଭିଏସ IQUBE ଇଲେକ୍ଟ୍ରିକ ସ୍କୁଟି (OD-02-DA-2334), ଗୋଟିଏ ବଜାଜ ପଲସର N250 (OD-02-DJ-8095) ଓ ଗୋଟିଏ ହିରୋ ଗ୍ଲାମର ମୋଟର ସାଇକେଲ (OD-02-AH-1165) ଜବତ୍ କରିଛି।ଏହି ଘଟଣାରେ ଜଂକିଆ ପୋଲିସ କେସ୍ ନଂ-୨୩୮, ତା ୦୪.୦୪.୨୦୨୬ ରିଖରେ NDPS Act ର ଧାରା 21(b)/29 ଅନୁଯାୟୀ ଏକ ମାମଲା ରୁଜୁ କରିଛି।
ଗିରଫ ହୋଇଥିବା ଅଭିଯୁକ୍ତ ହଜ ଗୋଡିସାହି ଅଞ୍ଚଳର ସନ୍ତୋଷ କୁମାର ବଳିଆରସିଂହ ଓରଫ ବାବି (୪୫) ଏବଂ ମଳିପଡ଼ା ମାଝିସାହିର ଅନିଲ ବଳିଆରସିଂହ ଓରଫ ଲିପା (୩୫)।ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ମିଳିଛି। ଏହି କାରବାର ପଛରେ ଆଉ କାହାର ସଂପୃକ୍ତି ରହିଛି, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।