Spread the love

ଧାମରା : ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ମନମାନୀରେ କ୍ଷୁବ୍ଧ ହୋଇ ୨୯ ତାରିଖରେ ଧାମରା ବନ୍ଦର ମୁଖ୍ୟ ଗେଟ ଆଗରେ ସମସ୍ତ ମାଲବାହୀ ରେଳ ଚଳାଚଳକୁ ବନ୍ଦ କରିବାକୁ ୮ଟି ସଂଘ ଜିଲ୍ଲା ଟ୍ରକ ଟିପ୍ପର ସଂଘ ନିଷ୍ପତି ନେଇଥିଲେ । ଏ ନେଇ ସଂପୃକ୍ତ ସଂଘ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବା ପରେ ଦ୍ୱିପାକ୍ଷିକ ଆଲୋଚନା ହୋଇଯାଇଛି ଏବଂ ଏହି ଆନ୍ଦୋଳନ ବର୍ତମାନ ସ୍ଥଗିତ କରାଗଲା ବୋଲି ନିଷ୍ପତି ନିଆଯାଇଛି । ଏହି ଆଲୋଚନାରେ ପ୍ରଶାସନ ପକ୍ଷରୁ ଭଦ୍ରକ ଜିଲ୍ଲା ଉପଜିଲ୍ଲାପାଳ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉପସ୍ଥିତ ଥିବା ବେଳେ ୮ଟି ଟ୍ରକ ଟିପ୍ପର ମାଲିକ ସଂଘ ଏବଂ ଧାମରା ବନ୍ଦର କର୍ତୁପକ୍ଷ ମଧ୍ୟ ଏହି ଆଲୋଚନାରେ ଭାଗ ନେଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ୧୭ ତାରିଖ ଦିନ କିଛି ନିମ୍ନ ମାନର କୋଇଲା ଧାମରା ବନ୍ଦରରୁ ଝାରଖଣ୍ଡର ଛାଲିୟାମା ପ୍ଲାଂଟ ସାଇଟ(ରୁଙ୍ଗଟା ମାଇନ୍ସ) କୁ ଚାଲାଣ କରାଯାଇଥିଲା । ଏହି ସମସ୍ତ ଟ୍ରକ ମଧ୍ୟରୁ ୧୮ଟି ଟ୍ରକରେ ନିମ୍ନମାନର କୋଇଲା ଦର୍ଶାଇ ସଂପୃକ୍ତ କର୍ତୁପକ୍ଷ (ରୁଙ୍ଗଟା ମାଇନ୍ସ) ଏହି ସମସ୍ତ ଟ୍ରକ ଚାଳକଙ୍କ ବିରୁଦ୍ଧରେ ନିକଟସ୍ଥ ଥାନାରେ ଏକି ଲିଖିତ ଅଭିଯୋଗ କରିବା ପରେ କେସ ମଧ୍ୟ ରୁଜୁ କରାଯାଇଥିଲା । ଫଳରେ ସଂପୃକ୍ତ ଭଦ୍ରକ ଜିଲ୍ଲା ମାଲିକଙ୍କ ଇଜ୍ଜତ ପଦରେ ପଡିଲା ଏଥିପାଇଁ ୮ଟି ସଂଘ ଏକତ୍ରିତ ହୋଇ ଧାମରା ବନ୍ଦର ମନମାନୀରେ ରେଳ ଚଳାଚଳବନ୍ଦ କରିବାକୁ ଡାକରା ଦେଇଥିଲେ ।

ଆଜି ହୋଇଥିବା ଆଲୋଚନାରେ କୌଣସି କଥାର ସୁସମାଧାନ ହୋଇ ନଥିବାବେଳେ ଏକ ଟେକନିକାଲ ଟିମ ଗଠନ ହୋଇ ୧୮ଟି ଟ୍ରକରେ କିପରି ନିମ୍ନ ମାନର କୋଇଲା ଚାଲାଣ କରାଗଲା ସେ ନେଇ ରିର୍ପୋଟ ପ୍ରଦାନ କରାଯିବ । ଏହି ଟିମରେ ଜିଲ୍ଲା ପ୍ରଶାସନ, ମାଲିକ ସଂଘ ଏବଂ ବନ୍ଦର କର୍ତ୍ତୃପକ୍ଷ ସାମିଲ ହେବେ ବୋଲି ନିଷ୍ପତି ହୋଇଛି । ମାତ୍ର ଜବତ ହୋଇଥିବା ୧୮ଟି ଟ୍ରକ ବିରୁଦ୍ଧରେ ହୋଇଥିବା କେସରେ ମାଲିକ ମାନେ କାହିଁକି ଖର୍ଚାନ୍ତ ହେବେ ,ଏହି କେସରେ ଯାହା ଖର୍ଚ ହେବ ସେଥିପାଇଁ ବନ୍ଦର କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଟ୍ରକ ମାଲିକ ସଂଘ ପ୍ରଶ୍ନ ଉଠାଇଥିଲେ । ଏଭଳି ପରିସ୍ଥିତିରେ ସମସ୍ତ କଥାର ସମାଧାନ ହୋଇ ନଥିବା ବେଳେ ବନ୍ଦର କର୍ତ୍ତୃପକ୍ଷ ସମସ୍ତ ଟ୍ରକ ମାଲିକ ସଂଘକୁ ବନ୍ଦର ଭିତରେ ଲୋଡ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ଆଗାମୀ ଦିନରେ ଏହି ନିମ୍ନ ମାନର କୋଇଲା କେଉଁଠାରୁ ଆସୁଛି ଅଥବା କୌଣସି ଟ୍ରକ ଚାଳକ ଲୋଭରେ ଏପରି କରୁଛନ୍ତି ଅଥବା ବନ୍ଦର କର୍ତ୍ତୃପକ୍ଷ ଜାଣିଶୁଣି ଏହା କରୁଛନ୍ତି ତାହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇ ପଡିଛି । ତୁରନ୍ତ ଏହି ସମସ୍ତ ସମସ୍ୟାର ସମାଧାନ କରିବାକୁ ଜିଲ୍ଲା ପ୍ରଶାସନ,ବନ୍ଦର କର୍ତ୍ତୃପକ୍ଷ ଏବଂ ଟେକନିକାଲ ଟିମ ଏକତ୍ରିତ ହୋଇ ଏହାର ସମାଧାନ କରିବା ଜରୁରୀ ହୋଇ ପଡିଛି ବୋଲି ଟ୍ରକ ମାଲିକ ସଂଘ ଦାବି କରିଥିଲେ ।

Leave a Reply

Your email address will not be published. Required fields are marked *