Spread the love

ଭୁବନେଶ୍ୱର : ମାନସିକ ସ୍ୱାସ୍ଥ୍ୟସେବାକୁ ଆଗକୁ ବଢାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଏମ୍‌ସ ଭୁବନେଶ୍ୱର ମାନସିକ ରୋଗ ବିଭାଗ ପକ୍ଷରୁ ଏକ ଅତ୍ୟାଧୁନିକ ନ୍ୟୁରୋମଡ୍ୟୁଲେସନ୍ ସେବା କେନ୍ଦ୍ର ଆରମ୍ଭ କରାଯାଇଛି। ଅତ୍ୟାଧୁନିକ, ନନ୍‌-ଇନ୍‌ଭେସିଭ ବ୍ରେନ୍‌ ସ୍ଟିମୁଲେସନ୍‌ ଥେରାପୀ ଚିକିତ୍ସା ପ୍ରଦାନ କରି, ଔଷଧ ପ୍ରତିରୋଧୀ ଏବଂ ଚିକିତ୍ସା କରିବାକୁ କଷ୍ଟକର ମାନସିକ ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ଏକ ନୂତନ ଆଶା ସଂଚାର କରିବା ଏହି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପର ଲକ୍ଷ୍ୟ ।
ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏହି ବ୍ୟବସ୍ଥାକୁ ଉଦ୍‌ଘାଟନ କରିଥିଲେ। ଏହି ନ୍ୟୁରୋମଡ୍ୟୁଲେସନ୍ କେନ୍ଦ୍ରର ଶୁଭାରମ୍ଭ ଏମ୍‌ସ ଭୁବନେଶ୍ୱର ପାଇଁ ଏକ ବିଶେଷ ସଫଳତା। ଏହା ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟର ଲୋକଙ୍କ ପାଇଁ ସର୍ବଶେଷ ଏବଂ ପ୍ରଭାବଶାଳୀ ଚିକିତ୍ସା ପ୍ରଯୁକ୍ତିବିଦ୍ୟା ଆଣିଛି। ମାନସିକ ସ୍ବାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଏହି ବ୍ୟବସ୍ଥା ଏମ୍‌ସ ଭୁବନେଶ୍ୱରର ପ୍ରତିବଦ୍ଧତାକୁ ସଫଳତାର ସହିତ ପ୍ରତିଫଳିତ କରିବା ନେଇ ମତବ୍ୟକ୍ତ କରିଥିଲେ ଡ. ବିଶ୍ୱାସ।
କାର୍ଯ୍ୟକାରୀ ହୋଇଥିବା ନୂତନ କେନ୍ଦ୍ରଟି ଉନ୍ନତ ନ୍ୟୁରୋମଡ୍ୟୁଲେସନ୍ ପ୍ରଯୁକ୍ତିବିଦ୍ୟା ସହିତ ସଜ୍ଜିତ, ଯେଉଁଥିରେ ରିପିଟିଟିଭ୍‌ ଟ୍ରାନ୍ସକ୍ରାନିଏଲ୍ ମ୍ୟାଗ୍ନେଟିକ୍ ଷ୍ଟିମୁଲେସନ୍(ଆର୍‌ଟିଏମଏସ) ୟୁନିଟ୍, ଅଲ୍ଟ୍ରା-ବ୍ରିଫ୍ ପଲ୍ସ ଇସିଟି ୟୁନିଟ୍ ଏବଂ ଟ୍ରାନ୍ସକ୍ରାନିଏଲ୍ ଇଲେକ୍ଟ୍ରିକାଲ୍ ଷ୍ଟିମୁଲେସନ୍ (ଟିଇଏସ୍‌) ଅନ୍ତର୍ଭୁକ୍ତ। ଏହି ନନ୍‌-ଇନ୍‌ଭେସିଭ କୌଶଳଗୁଡ଼ିକ ନିର୍ଦ୍ଦିଷ୍ଟ ବ୍ରେନ୍‌ ସର୍କିଟରେ କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରି କାର୍ଯ୍ୟ କରେ। ଏହି କେନ୍ଦ୍ର ବିଭିନ୍ନ ମାନସିକ ସ୍ୱାସ୍ଥ୍ୟ ବ୍ୟାଧି, ମାଦକ କିମ୍ବା ନିଶା ଦ୍ରବ୍ୟ ସେବନଜନିତ ବ୍ୟାଧି ଏବଂ ନ୍ୟୁରୋସାଇକିଆଟ୍ରିକ୍ ଅବସ୍ଥା ପାଇଁ ବିଶେଷ ଚିକିତ୍ସା ପ୍ରଦାନ କରିବ। କେବଳ ମସ୍ତିଷ୍କର ପ୍ରଭାବିତ ଅଞ୍ଚଳଗୁଡ଼ିକ ଉପରେ ଧ୍ୟାନ ଦେଇ, ଏହି ଚିକିତ୍ସା ପ୍ରଣାଳୀ ପାରମ୍ପରିକ ଚିକିତ୍ସା ପଦ୍ଧତି ଅପେକ୍ଷା ଅଧିକ ସଠିକ୍ ଏବଂ ଗ୍ରହଣୀୟ ବିକଳ୍ପ ପ୍ରଦାନ କରେ। ଯାହା ଦ୍ରୁତ ଆରୋଗ୍ୟ ଏବଂ ଉତ୍ତମ ଫଳାଫଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ।
ଉଦ୍‌ଘାଟନ ଉତ୍ସବରେ ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀ ଏବଂ ଅଧ୍ୟାପକମାନଙ୍କ ସମେତ ଡିନ୍‌ ଡ. ପ୍ରଶାନ୍ତ ଆର. ମହାପାତ୍ର, ମେଡିକାଲ୍‌ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିଡିଏ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ ସରକାର, ମାନସିକ ରୋଗ ବିଭାଗ ମୁଖ୍ୟ ଡ. ବିଶ୍ୱ ରଞ୍ଜନ ମିଶ୍ର, ଡ. ଏସ୍‌ କେ ପାଢୀ, ଡ. ଦେବଦତ୍ତା ମହାପାତ୍ର, ଡ. ଶ୍ରୀ ମିଶ୍ର, ଡ. ଅର୍ପିତ ପରମାର, ଡ. ଅମ୍ବିକା ସୁଂଦାସ, ଭେଷଜ ବିଭାଗର ଡ. ଶ୍ରୀକାନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *