Spread the love

ହରିୟାଣା: ହରିୟାଣାର ସୋନିପତରୁ ଆସିଛି ଏକ ଦୁଃଖଦ ଘଟଣା । ଯାହା ଶୁଣିବା ପରେ ଅନେକ ଲୋକ ଭାବପ୍ରବଣ ହୋଇପଡ଼ିଛନ୍ତି । ଜୀବନ ସାରା ଯେଉଁ ସନ୍ତାନଙ୍କ ପାଇଁ ବାପା-ମା’ ସବୁକିଛି କରନ୍ତି, ସେହି ସନ୍ତାନମାନେ ଯଦି ଶେଷ ସମୟରେ ସାଥିରେ ନ ରୁହନ୍ତି, ତାଠାରୁ ବଡ଼ ଦୁଃଖ ଆଉ କଣ ହୋଇପାରେ । ଜୀବନର ଶେଷ ସମୟରେ ବି ସେହି ସମ୍ପର୍କ ନିଜର ହେଲାନି । ୩ ଝିଅ ଥାଇ ବି ବାପାଙ୍କ ଶେଷ ମୁହୂର୍ତ୍ତରେ କେହି ତାଙ୍କ ପାଖରେ ପହଞ୍ଚିନଥିଲେ । ଶେଷରେ ନିଜ ଲୋକଙ୍କ ବଦଳରେ ବୃଦ୍ଧାଶ୍ରମ କର୍ମଚାରୀମାନେ ହିଁ କଲେ ଅନ୍ତିମ ସଂସ୍କାର । ଏହି ଦୁନିଆଁରେ କେହି କାହାର ନୁହେଁ । ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ଏହି ଘଟଣା ।

୭୪ ବର୍ଷୀୟ ଶିବଚରଣ ରାମରତନ ଗୁପ୍ତା କିଛି ଦିନ ଧରି ବୃଦ୍ଧାଶ୍ରମରେ ରହି ଆସୁଥିଲେ । ଶିବଚରଣ ଗୁପ୍ତାଙ୍କ ପାଖରେ ଏକ ମୋବାଇଲ୍ ଫୋନ୍ ଥିଲା ଏବଂ ସେ ସମୟ ସମୟରେ ତାଙ୍କ ଝିଅମାନଙ୍କ ସହିତ କଥା ହେଉଥିଲେ। ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ, ସେମାନଙ୍କ ସହିତ ଯୋଗାଯୋଗ ତାଙ୍କର ସବୁଠାରୁ ବଡ଼ ସମର୍ଥନ ଥିଲା ।  କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ଝିଅମାନଙ୍କ ସହିତ କଥାବାର୍ତ୍ତା କମ୍ ହୋଇଗଲା । ସ୍ବାସ୍ଥ୍ୟ ଖରାପ ହେବାର ପ୍ରାୟ ୨୦ ଦିନ ପୂର୍ବରୁ ତାଙ୍କର ୩ ଝିଅ ନେପାଳରେ ରହୁଥିବା ଅନିତା, ଆଜମଗଡ଼ରେ ରହୁଥିବା ନିଶା ଏବଂ ମୁମ୍ବାଇରେ ରହୁଥିବା ପ୍ରିୟାଙ୍କୁ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ବିଷୟରେ ଫୋନ୍ ମାଧ୍ୟମରେ ସୂଚନା ଦିଆଯାଇଥିଲା । କିନ୍ତୁ ୩ ଝିଅଙ୍କ ମଧ୍ୟରୁ କେହି ଜଣେ ବି ବାପାଙ୍କୁ ଦେଖିବାକୁ ଆସିନଥିଲେ । ଶେଷରେ ଝିଅମାନଙ୍କ ବାଟକୁ ଚାହିଁ ଚାହିଁ ବାପାଙ୍କ ଜୀବନ ଚାଲିଗଲା । ବଞ୍ଚିଥିଲାବେଳେ ତ ବାପାଙ୍କୁ ଦେଖିବାକୁ ଆସିଲେନି । ବାପା ଶେଷ ନିଶ୍ବାସ ତ୍ୟାଗ କରିବା ପରେ ମଧ୍ୟ ଅନ୍ତିମ ସଂସ୍କାରରେ ପହଞ୍ଚିନଥିଲେ । ବରଂ ସେମାନଙ୍କ ବ୍ୟସ୍ତତା ଏବଂ ପରିସ୍ଥିତିର କାରଣ ଦର୍ଶାଇଥିଲେ । ତେଣୁ ଭିଡିଓ କଲ୍ ମାଧ୍ୟମରେ ଅନ୍ତିମ ଦର୍ଶନ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଥିଲା। ସେମାନଙ୍କ ମୋବାଇଲ୍ ସ୍କ୍ରିନରେ ପିତାଙ୍କ ଅନ୍ତିମ ଯାତ୍ରା ଦେଖି ତିନି ଝିଅ ଭାବପ୍ରବଣ ହୋଇଗଲେ ।

ଏଥିସହ ୫୧୦୦ ଟଙ୍କା ପଠାଇ ତାଙ୍କ ପିତାଙ୍କ ଶେଷକୃତ୍ୟ ପୂର୍ଣ୍ଣ ସମ୍ମାନ ଏବଂ ରୀତିନୀତି ସହିତ କରାଯିବା ଉଚିତ ବୋଲି ଜିଦ ଧରିଥିଲେ । ସମ୍ପୂର୍ଣ୍ଣ ଅନ୍ତିମ ସଂସ୍କାରର ଏକ ଭିଡିଓ ରେକର୍ଡିଂ ସେମାନଙ୍କୁ ପଠାଯାଉ ଯାହା ଦ୍ୱାରା ସେମାନେ ପରେ ଦେଖିପାରିବେ । ସେହି ଆଶ୍ରମର ଅଧିକାରୀ ଏହା ମଧ୍ୟ ଆଶା କରିଥିଲେ ଯେ ହୁଏତ ଝିଅମାନେ ଅନ୍ତିମ ସଂସ୍କାରରେ ପହଞ୍ଚି ନପାରିଲେ ନାହିଁ କିନ୍ତୁ ଅସ୍ତି ବିସର୍ଜନ କରିବେ । ହେଲେ ସେମିତି କିଛି ବି ହେଲାନି । କିଛି ସମୟ ପରେ ଫୋନ୍ କରି କହିଲେ ଆମ ପାଖରେ ସମୟ ନାହିଁ । ଦୟାକରି ଅସ୍ତି ବିସର୍ଜନ କରି ଦିଅନ୍ତୁ । ହେଲେ ଶିବଚରଣ ଗୁପ୍ତା ତାଙ୍କ ଜୀବନକାଳ ମଧ୍ୟରେ ତାଙ୍କ ଆଖି ଦାନ କରିବାକୁ ପ୍ରତିଜ୍ଞା କରିଥିଲେ। ତାଙ୍କ ମୃତ୍ୟୁ ପରେ, ପରିବାରର ସମ୍ମତିରେ ତାଙ୍କ ଆଖି ଦାନ କରାଯାଇଥିଲା। ଏବେ, ତାଙ୍କ ଆଖି ଅଭାବଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ ଏକ ନୂତନ ଆଲୋକ ହେବ।

କିନ୍ତୁ ଏହି ଘଟଣା ଏବେ ସମାଜରେ ବୃଦ୍ଧ ପିତାମାତାଙ୍କ ଯତ୍ନ ଓ ପରିବାରିକ ସମ୍ପର୍କକୁ ନେଇ ବଡ଼ ପ୍ରଶ୍ନ ଉଠାଇଛି । ଯେଉଁ ମାତାପିତା ନିଜ ସନ୍ତାନଙ୍କ ଭବିଷ୍ୟତ ପାଇଁ ସାରା ଜୀବନ ସଂଘର୍ଷ କରନ୍ତି, ବୟସର ଶେଷ ସମୟରେ ସେମାନଙ୍କୁ ଏକାକୀ ଛାଡ଼ି ଦେବା ନେଇ ଚର୍ଚ୍ଚା ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *