Spread the love

ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପୁଣି ଥରେ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନବୀନ ପଟ୍ଟନାୟକଙ୍କର ଚିକିତ୍ସା ଡାକ୍ତର ଆଲୋକ ପାଣିଗ୍ରାହୀ କରୁଛନ୍ତି। ତାଙ୍କୁ ଡିହାଇଡ୍ରେସନ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି।

ତେବେ ନବୀନ ପଟ୍ଟନାୟକ ଅସୁସ୍ଥ ହେବା ଖବର ଜଣାପଡ଼ିବା ପରେ ଧୀରେଧୀରେ ହସ୍‌ପିଟାଲ ଆଡ଼କୁ ଦଳୀୟ ନେତାମାନଙ୍କର ଆଗମନ ହେଉଛି। ଭିଡ଼ ଆଶଙ୍କା କରି କମିସନରେଟ ପୁଲିସ ସତର୍କ ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ, ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକଙ୍କର ଗତ ଜୁଲାଇ ମାସରେ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ପାଇଁ ଏକ ସଫଳ ଅସ୍ତ୍ରୋପଚାର କରାଯାଇ ଥିଲା। ଏହି ଅସ୍ତ୍ରୋପଚାର ତାଙ୍କ ବ୍ୟକ୍ତିଗତ ଡାକ୍ତର ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ କରାଯାଇଥିଲା। ଅସ୍ତ୍ରୋପଚାର ପରେ ସେ ଦୁଇରୁ ତିନି ଦିନ ରହିଥିଲେ। ତାଙ୍କୁ ୫-୭ ଦିନ ମଧ୍ୟରେ ଡିସଚାର୍ଜ କରାଯାଇଥିଲା। ଅପରେସନ ପରେ ନବୀନ ପଟ୍ଟନାୟକ ସକ୍ରିୟ ଏବଂ ସଚେତନ ଥିଲେ। ମୁମ୍ବାଇରେ ଚିକିତ୍ସା ସମୟରେ ନବୀନଙ୍କ ଭାଇ ପ୍ରେମ ପଟ୍ଟନାୟକ ଏବଂ ଭାଉଜ ଉପସ୍ଥିତ ଥିଲେ।

ମୁମ୍ବାଇର ଡାକ୍ତରଖାନାରେ ଭର୍ତ୍ତି ହେବା ପୂର୍ବରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍‌ କରି ନବୀନ ପଟ୍ଟନାୟକ କହିଥିଲେ, ସର୍ଭିକାଲ ଆର୍ଥ୍ରାଇଟିସ୍‌ ସମସ୍ୟା ନେଇ ମୋର ଚିକିତ୍ସା ହେବ। ମୁମ୍ବାଇସ୍ଥିତ କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍‌ପିଟାଲରେ ଏହି ଚିକିତ୍ସା ହେବ। ମୋର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ଏହି ଚିକିତ୍ସା ହେବ।‌ ଏଥି ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ମାଗୁଛି। ଓଡ଼ିଆ ଭାଇଭଉଣୀଙ୍କର ଶୁଭକାମନା ଚାହୁଁଛି। ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ କହିଛନ୍ତି, ମୁଁ ଶୀଘ୍ର ସୁସ୍ଥ ହୋଇ ଫେରି ଆସିବି। ଓଡ଼ିଶାର ସମସ୍ତଙ୍କ ସେବା ଜାରି ରଖିବାକୁ ଅପେକ୍ଷା କରିଛି।

Leave a Reply

Your email address will not be published. Required fields are marked *