Spread the love

ବ୍ରହ୍ମପୁର: ଆଜି ବିଶ୍ଵ ହସ୍ତୀ ଦିବସ ଅବସରରେ, ବ୍ରହ୍ମପୁର ସ୍ଥିତ ‘ବିନାୟକ ଆଚାର୍ଯ୍ୟ ସ୍ମୃତି ପୌର ଉଚ୍ଚ ବିଦ୍ୟାଳୟ’ ପରିସରରେ ଏକ ‘ବନ୍ୟଜନ୍ତୁ ସଂରକ୍ଷଣ ଓ ବୃକ୍ଷରୋପଣ’ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଖଲ୍ଲିକୋଟର ‘ଡ଼. ଏପିଜେ ଅବଦୁଲ କାଲାମ ଜନ କଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ’ ଏବଂ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ସଚେତନତା ସଭାରେ ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ। ମଞ୍ଚରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭଗବାନ ନାହାକ, ସମ୍ମାନିତ ଅତିଥି ଭାବରେ ସେବା ନିବୃତ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ବିଶ୍ଵାଳ, ସେବା ନିବୃତ ବ୍ଳକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଲିଙ୍ଗରାଜ ସ୍ଵାଇଁ, ଆଇସିଏସଆର ଆଦାମ ଗ୍ରୁପର ବରେଣ୍ୟ ଅଧିକାରୀ ଶ୍ରୀଯୁକ୍ତ ମାନସ କୁମାର ସାହୁ, ଓଡିଶା ଜଳସାଥି ମିଶନର ସଭାନେତ୍ରୀ ଶ୍ରୀମତୀ ସୁପ୍ରଭା ରାଉତ ଏବଂ ମୁଖ୍ୟବକ୍ତା ଭାବେ ପରିବେଶବିତ୍, ବିଶିଷ୍ଟ ସାମ୍ବାଦିକ ଓ ଲେଖକ ଶ୍ରୀଯୁକ୍ତ ସୁଦର୍ଶନ ଛୋଟରାୟ ଯୋଗଦେଇଥିଲେ।

ଅତିଥିମାନେ ନିଜ ବକ୍ତବ୍ୟରେ ଜଙ୍ଗଲ କ୍ଷୟ ଯୋଗୁଁ ବନ୍ୟପ୍ରାଣୀମାନଙ୍କର ଦୁରାବସ୍ଥା ଏବଂ ସେମାନଙ୍କ ଗ୍ରାମାଭିମୁଖୀ ହେବାର କାରଣ ଉପରେ ଆଲୋକପାତ କରିଥିଲେ। ମଣିଷର ଅସୀମ ଆବଶ୍ୟକତା ପାଇଁ ଜଙ୍ଗଲ ଧ୍ୱଂସ ହେଉଥିବା ବେଳେ ବୃକ୍ଷରୋପଣ ପ୍ରତି ଅବହେଳା ଯୋଗୁଁ ବିଶ୍ଵତାପନ ବୃଦ୍ଧି ପାଉଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ଏହାର ପରିଣାମ ସ୍ୱରୂପ ଜଳବାୟୁ ପରିବର୍ତ୍ତନ ହେଉଛି ଏବଂ ବର୍ଷର ଅଧିକାଂଶ ସମୟ ଗ୍ରୀଷ୍ମ ଋତୁ ଅନୁଭୂତ ହେଉଛି।

ବିଶ୍ଵ ହସ୍ତୀ ଦିବସର ଗୁରୁତ୍ୱକୁ ମନେ ପକାଇ ଅତିଥିମାନେ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ସମସ୍ତଙ୍କୁ ଶପଥ ନେବାକୁ ଆହ୍ୱାନ ଦେଇଥିଲେ। ଭବିଷ୍ୟତ ପିଢ଼ି ପାଇଁ ଏକ ସୁସ୍ଥ ଓ ସୁନ୍ଦର ପରିବେଶ ସୃଷ୍ଟି କରିବାକୁ ହେଲେ ପ୍ରତ୍ୟେକ ବ୍ୟକ୍ତି ଅତିକମରେ ଗୋଟିଏ ବୃକ୍ଷ ରୋପଣ କରି ତାହାର ଯତ୍ନ ନେବା ଆବଶ୍ୟକ ବୋଲି ସେମାନେ କହିଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ପରିବେଶବିତ୍ ଶ୍ରୀ ସୁଦର୍ଶନ ଛୋଟରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମକୁ ପ୍ରାଚୀନ ସାହିତ୍ୟ ସଂସଦ, ବ୍ରହ୍ମପୁରର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ବଂଶୀଧର ସେଠୀ ପରିଚାଳନା କରିଥିଲେ ଏବଂ ବିଦ୍ୟାଳୟର ଛାତ୍ର ଶ୍ରୀମାନ୍ ପ୍ରବୀଣ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସଭା ଶେଷରେ ଅତିଥି, ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ ଏବଂ ସେଗୁଡ଼ିକର ସୁରକ୍ଷା ପାଇଁ ଶପଥ ଗ୍ରହଣ କରିଥିଲେ। ଏହିଭଳି ଏକ ଜନହିତକର କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ‘ଡ଼. ଏପିଜେ ଅବଦୁଲ କାଲାମ ଜନ କଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ’ ଏବଂ ‘ବିନାୟକ ଆଚାର୍ଯ୍ୟ ସ୍ମୃତି ପୌର ଉଚ୍ଚ ବିଦ୍ୟାଳୟ’କୁ ସ୍ଥାନୀୟ ଜନସାଧାରଣ ସାଧୁବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *