Spread the love

କେନ୍ଦ୍ରାପଡା: ଅଭାବ ଅନଟନ ଦୁଃଖରେ ଚାଲିଥିଲା ଜୀବନ । କିନ୍ତୁ ଅଭାବରେ ଜୀବନ କାଟିବା ମୁସ୍କିଲ ହୋଇପଡ଼ିଲା । ତେଣୁ ଘରେ ବାପା ମା’ ସ୍ତ୍ରୀ ପେଟରେ ଦି ମୁଠା ଦାନା ଯୋଗାଇବା ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ । ହେଲେ ଏବେ ସେଠାରୁ ଫେରିବା ପାଇଁ ଭିଡିଓ ମାଧ୍ୟମରେ ସହାୟତା ପାଇଁ ନିବେଦନ କରିଛନ୍ତି । ଘରୁ ଗୋଡ଼ କାଢ଼ି ବାହାର ରାଜ୍ୟକୁ ଯାଇଥିଲେ ସତ କିନ୍ତୁ ପରିସ୍ଥିତି ଏପରି ହୋଇପଡ଼ିଲା ଯେ ନା ସେମାନେ ଘରକୁ ଫେରି ପାରୁଛନ୍ତି ନା ସେଠାରେ ରହି ଖଟି ପାରୁଛନ୍ତି । ଏବେ ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର ଲୋକେ । ସେଠାରୁ ଫେରାଇ ଆଣିବା ପାଇଁ କରିଛନ୍ତି ଆକୁଳ ନିବେଦନ ।

ହଁ ଆଜ୍ଞା, କାମ କରିବାକୁ ଯାଇ ଲାଓସ୍‌ରେ ଫସିରହିଛନ୍ତି ୪ ଓଡ଼ିଆ ଯୁବକ । ସେମାନଙ୍କର ଘର ହେଉଛି କେନ୍ଦ୍ରାପଡା ଜିଲ୍ଲା ଆଳି ଓ ରାଜକନିକା ଥାନା ଅଞ୍ଚଳର । ୫ମାସ ତଳେ ଜଣେ ଠିକାଦାରଙ୍କ ଜରିଆରେ ୪ଜଣ ଯୁବକ କାମକରିବା ପାଇଁ ଲାଓସ ଯାଇଥିଲେ। ସେଠାରେ ଏକ କମ୍ପାନୀରେ ୫ମାସ କାମ କରିବା ପରେ ଗୋଟିଏ ମାସର ଦରମା ଦିଆଯାଇଥିଲା। ଆଉ ୪ମାସର ଦରମା ମାଗିବାରୁ ସେମାନଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ନିର୍ଯ୍ୟାତନା ଦେଉଛନ୍ତି ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଏମିତି କି ତାଙ୍କ ଠାରୁ ଭିସା ଓ ପାସପୋର୍ଟ ମଧ୍ୟ ଛଡାଇ ନିଆଯାଇଛି । ପାଖରେ ଟଙ୍କା ନଥିବାରୁ ଭୋକ ଉପାସରେ ମଧ୍ୟ ଦିନ କାଟୁଛନ୍ତି। ତୁରନ୍ତ ସେମାନଙ୍କୁ ଫେରାଇ ଆଣିବା ପାଇଁ ଏକ ଭିଡିଓ ଜରିଆରେ ନିବେଦନ କରିଛନ୍ତି ।

ତେବେ ଏଇ ପେଟ ଚାଖଣ୍ଡକ ପାଇଁ ସବୁ ନାଟ । ପେଟପାଟଣା ପାଇଁ ଗରିବମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ସତ । କିନ୍ତୁ ପରିସ୍ଥିତି ଏପରି ହୋଇପଡ଼ୁଛି ଯେ ନା ସେମାନେ ଘରକୁ ଫେରି ପାରନ୍ତି ନା ସେଠାରେ ରହି ଖଟି ପାରନ୍ତି । ଯେଉଁଥିପାଇଁ ବ୍ୟତିବ୍ୟସ୍ତ ହେଉଛନ୍ତି ପରିବାର ଲୋକ । ମନରେ ମାତ୍ର କ୍ଷଣିଏ ଆଶା ରଖି ଅନାଇ ବସିଛନ୍ତି ପୁଅର ଫେରିବା ବାଟକୁ ।

Leave a Reply

Your email address will not be published. Required fields are marked *