Spread the love

କଟକ: ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥଙ୍କ ଦେହାନ୍ତ। ୭୮ ବର୍ଷ ବୟସରେ କଟକର ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ସ୍ୱାସ୍ଥ୍ୟଜନିତ ସମସ୍ୟା ନେଇ ଗତ ୧୪ ତାରିଖରୁ ଚିକିତ୍ସିତ ହେଉଥିଲେ ନିରଞ୍ଜନ ରଥ। ଚାରିଦିନ ତଳେ ଭୀଷଣ ଜ୍ବର, କଫ ଓ ବିଭିନ୍ନ ସଂକ୍ରମଣ ଯୋଗୁଁ ତାଙ୍କୁ ଥୋରିଆ ସାହିସ୍ଥିତ ଶାନ୍ତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରିସ୍ଥିତି ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇ ଭେଣ୍ଟିଲେଟର ଜରିଆରେ ଚିକିତ୍ସା କରାଯାଉଥିଲା। ଚିକିତ୍ସକଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ସ୍ଥିତିରେ ଉନ୍ନତି ଘଟି ନ ଥିଲା। ଗୁରୁବାର ରାତିରେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଚିକିତ୍ସକଙ୍କ ସୂତ୍ରରୁ ପ୍ରକାଶ।

ସମାଜସେବୀ, ଲେଖକ, ସାମ୍ବାଦିକ ଭାବେ ପରିଚିତ ଥିଲେ ନିରଞ୍ଜନ । ‘ସମାଜ’ ଖବରକାଗଜର ପୂର୍ବତନ ସମ୍ପାଦକ, ପ୍ରକାଶକ ଓ ମୁଦ୍ରାକର, ଜିମ୍‌ସାରର ଅଧ୍ୟକ୍ଷ, ‘ସମାଜ’ ରିଲିଫ କମିଟିର ମୁଖ୍ୟ, ଗୋପବନ୍ଧୁଙ୍କ ସତ୍ୟବାଦୀର ସମ୍ପାଦକ ହେବା ସହିତ ବିଭିନ୍ନ ସେବାମୂଳକ ଅନୁଷ୍ଠାନ ସହିତ ସମ୍ପୃକ୍ତ ଥିଲେ ସ୍ୱର୍ଗତ ରଥ। ‘ସମାଜ’ର ସମ୍ପାଦକୀୟ ପୃଷ୍ଠାରେ ‘ବେଙ୍ଗ କହେ ବେଙ୍ଗୁଲୀଲୋ…’ ସ୍ତମ୍ଭ ବେଶ୍‌ ପାଠକାଦୃତି ଲାଭ କରିଥିଲା। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

ଗୁରୁବାର ରାତିରେ ତାଙ୍କ ମର ଶରୀରକୁ ହସ୍‌ପିଟାଲ୍‌ରେ ସଂରକ୍ଷିତ କରି ରଖାଯାଇଛି। ଶୁକ୍ରବାର ସକାଳୁ ପାର୍ଥିବ ଶରୀରକୁ ଆଠଗଡ଼ସ୍ଥିତ ତାଙ୍କ ପୈତୃକ ଗ୍ରାମ ରାଧାନାଥପୁର ଶାସନକୁ ନିଆଯିବ। ସେଠାରୁ ମୃତ ଦେହକୁ ଆଠଗଡସ୍ଥିତ ମାଧପୁରର ଜିମ୍‌ସାର ନିଆଯିବ। ପରେ ସେଠାରୁ ପୁରୀ ସ୍ବର୍ଗଦ୍ବାର ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ସୂତ୍ରରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *