ଇରାନ୍: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ । ଇରାନକୁ ଯେକୌଣସି ପ୍ରକାରର ସହାୟତା ସମ୍ପୂର୍ଣ୍ଣ ଅଗ୍ରହଣୀୟ । ଇରାନକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଗୁଇନ୍ଦା ତଥ୍ୟ , ଯନ୍ତ୍ରାଂଶ କିମ୍ବା ସାମରିକ ସରଞ୍ଜାମ ଯୋଗାଇବା ସମ୍ପୂର୍ଣ୍ଣ ଅଗ୍ରହଣୀୟ । ଏହି ସୂଚନା ଦେଇଛନ୍ତି ଚୀନରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଡେଭିଡ ପରଡ୍ୟୁ । ତେବେ ଚୀନ ପକ୍ଷରୁ ଇରାନକୁ ସିଧାସଳଖ ସହାୟତା କରାଯାଉଥିବା କୌଣସି ପ୍ରତ୍ୟକ୍ଷ ପ୍ରମାଣ ନାହିଁ । କିନ୍ତୁ ପରୋକ୍ଷ ସହାୟତା ପ୍ରଦାନ କରାଯାଉଥିବା ନେଇ ୱାଶିଂଟନ ଆଶଙ୍କା ପ୍ରକଟ କରିଛି । ଏହି ଆଶଙ୍କା ଦୃଷ୍ଟିରୁ ଚୀନକୁ ଚେତାବନୀ ଦେଇଛି ଆମେରିକା ।
ହ୍ୱାଇଟ୍ ହାଉସରେ ଦୁଇ ନେତାଙ୍କ ମଧ୍ୟରେ ଅନୁଷ୍ଠିତ ରୁଦ୍ଧଦ୍ବାର ଆଲୋଚନା ପରେ ଆମେରିକା ପକ୍ଷରୁ ଏହି ବୟାନ ଜାରି କରାଯାଇଛି । CNBC କୁ ଦେଇଥିବା ଏକ ସାକ୍ଷାତକାରରେ ଡେଭିଡ କହିଛନ୍ତି, ଇରାନକୁ କୌଣସି ପ୍ରକାର ସାମରିକ କିମ୍ବା ଗୋପନୀୟ ସହାୟତା ଯୋଗାଇ ନ ଦେବାକୁ ପୂର୍ବରୁ ସତର୍କ କରାଇ ଦିଆଯାଇଛି । ଏହାବାଦ ଯଦି ଚୀନ କୌଣସି ସହାୟତା ଯୋଗାଏ, ତେବେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ବିଗିଡ଼ିବ ବୋଲି କୁହାଯାଇଛି ।
ସେହିପରି ଇରାନ କଦାପି ପରମାଣୁ ଅସ୍ତ୍ର ହାସଲ କରିବା ଉଚିତ ନୁହେଁ ଓ ଅନ୍ତର୍ଜାତୀୟ ବାଣିଜ୍ୟ ପାଇଁ ‘ଷ୍ଟ୍ରେଟ୍ ଅଫ୍ ହରମୁଜ୍’ ଖୋଲା ରହିବା ଦରକାର ବୋଲି ଉଭୟ ଟ୍ରମ୍ପ ଏବଂ ସି ଜିନପିଙ୍ଗ ସହମତ ହୋଇଛନ୍ତି । ଦୁଇ ମହାଶକ୍ତିଙ୍କ ମଧ୍ୟରେ ଅନେକ ମତଭେଦ ଥିଲେ ସୁଦ୍ଧା, ଉଭୟ ନେତାଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ଖୋଲାଖୋଲି ଆଲୋଚନା ହୋଇଛି । ଚୀନ ରାଷ୍ଟ୍ରପତିଙ୍କ ଏହି ୩ ଦିନିଆ ଆମେରିକା ଗସ୍ତ ସମୟରେ କେବଳ ଇରାନ ନୁହେଁ, ବରଂ AI, ବାଣିଜ୍ୟ, ତାଇୱାନ ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ଭଳି ଗମ୍ଭୀର ପ୍ରସଙ୍ଗ ଉପରେ ମଧ୍ୟ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି ।