ଲକ୍ଷ୍ନୌ: ରାଜଧାନୀ ଲକ୍ଷ୍ନୌ ସମେତ ଉତ୍ତର ପ୍ରଦେଶର ଅଧିକାଂଶ ଜିଲ୍ଲାରେ ଗୁରୁବାରଠାରୁ ଲାଗି ରହିଥିବା ବର୍ଷା ଶନିବାର ମଧ୍ୟ ଜାରି ରହିଛି। ଲଗାଣ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଥିବାବେଳେ ଅନେକ ସ୍ଥାନରେ ଘର ଓ କାନ୍ଥ ଭୁଶୁଡ଼ି ପଡ଼ି ୧୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଅନେକ ଲୋକ ଆହତ ହୋଇଛନ୍ତି। ପ୍ରବଳ ବର୍ଷା ଯୋଗୁ ନଦୀମାନଙ୍କରେ ଜଳସ୍ତର ବୃଦ୍ଧି ପାଉଥିବାବେଳେ ୩୨ ଜିଲ୍ଲାକୁ ବନ୍ୟା ସତର୍କତା ଜାରି କରାଯାଇଛି। ଲକ୍ଷ୍ନୌ, ପ୍ରୟାଗରାଜ ଓ ଅନ୍ୟ ସହରମାନଙ୍କରେ ଜଳବନ୍ଦୀ ସମସ୍ୟା ଦେଖାଯାଇଛି। ଟ୍ରେନ୍ ଓ ବିମାନ ସେବା ପ୍ରଭାବିତ ହୋଇଥିବାବେଳେ ସ୍କୁଲ ଓ କଲେଜ ବନ୍ଦ ରଖାଯାଇଛି।
ବଳରାମପୁର, ଆମେଠି, ଅଯୋଧ୍ୟା, ସୀତାପୁର, ସୁଲତାନପୁର ସମେତ ଅନେକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ି ଯାତାୟାତ ପ୍ରଭାବିତ ହୋଇଛି। ବର୍ଷା ଓ ଗଛ ଭାଙ୍ଗିବା ଯୋଗୁ ବିଭିନ୍ନ ଜିଲ୍ଲାରେ ବିଦ୍ୟୁତ ସରବରାହ ପ୍ରଭାବିତ ହୋଇଛି। ଅନେକ ସହରରେ ତାପମାତ୍ରା ୯ରୁ ୧୦ ଡିଗ୍ରିକୁ ଖସି ଆସିଛି। ପାଣିପାଗ ବିଭାଗ ଆଲର୍ଟ ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫୯ ଜିଲ୍ଲାରେ ପ୍ରବଳ ବର୍ଷା ହେବ।
୫ ଜିଲ୍ଲା ସିଦ୍ଧାର୍ଥ ନଗର, ଗୋଣ୍ଡା, ବଳରାମପୁର, ଶ୍ରାବସ୍ତି, ବହରାଇଚ ଓ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ୨୭ ତାରିଖ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହିତ ରାଜ୍ୟରେ ବର୍ଷା ଲାଗି ରହିପାରେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ନିଜ ନିଜ କ୍ଷେତ୍ର ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବଜ୍ରପାତ ଓ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରି ୨୪ ଘଣ୍ଟା ମଧ୍ୟରେ ସହାୟତା ଯୋଗାଇ ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।