Spread the love

ଭୁବନେଶ୍ୱର: ପାଣିରୁ ବ୍ୟାପିଛି ଡାଇରିଆ। ଫିଲ୍ଡ ଭିଜିଟ୍ ବେଳେ କେନ୍ଦ୍ରୀୟ ଟିମ୍ ତଥ୍ୟ ପାଇଥିବା ସୂଚନା ମିଳିଛି। ଲୋକସେବା ଭବନରେ ଏ ପ୍ରସଙ୍ଗରେ ସ୍ବାସ୍ଥ୍ୟ ବିଭାଗ ସହ ବୈଠକ କରୁଛି କେନ୍ଦ୍ରୀୟ ଟିମ୍। ଏଥିସହ ସ୍ଥିତି ନିୟନ୍ତ୍ରଣକୁ ଆଣିବା ଲାଗି କଣ ହେବ ଆଗାମୀ ପଦକ୍ଷେପ ସେ ନେଇ କେନ୍ଦ୍ରୀୟ ଟିମ୍ ସରକାରଙ୍କୁ ପରାମର୍ଶ ଦେବେ।

ରାଜ୍ୟରେ ଡାଇରିଆ ସ୍ଥିତିକୁ ନେଇ ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଚାଲିଛି। ଯାଜପୁର ସମେତ ଝାଡ଼ାବାନ୍ତି ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ପରିଖିଛନ୍ତି କେନ୍ଦ୍ରୀୟ ଟିମ୍ । ଆଉ ସେମାନେ ସଂଗ୍ରହ କରିଥିବା ରିପୋର୍ଟ ଆଧାରରେ ଏବେ ସ୍ବାସ୍ଥ୍ୟ ବିଭାଗର ଟିମ୍ ସହ ଚାଲିଛି ଆଲୋଚନା। ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ୫ଟି ଜିଲ୍ଲାରେ ଡାଇରିଆ ପରେ ସବୁ ଜିଲ୍ଲାକୁ ଆଲର୍ଟ କରିଛି ସ୍ବାସ୍ଥ୍ୟ ବିଭାଗ । ତେବେ ପାଣି ଯୋଗୁଁ ଡାଇରିଆ ବ୍ୟାପୁଥିବା କହିଛି କେନ୍ଦ୍ରୀୟ ଟିମ୍ ।

ସୂଚନା ଅନୁସାରେ, ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମାଡ଼ି ଚାଲିଛି ଡାଇରିଆ। ଏବେ ବାଲେଶ୍ବରକୁ ଡେଇଁଛି ଡାଇରିଆ। ବାଲେଶ୍ବର ଜିଲ୍ଲା ସୋରରେ କିଛି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏପଟେ ଯାଜପୁରରେ ବଢ଼ିଲା ମୃତ୍ୟୁ ସଂଖ୍ୟା। ଯାଜପୁର ରୋଡ଼ ମେଡ଼ିକାଲରେ ଝାଡ଼ାବାନ୍ତିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସରକାରୀ ଭାବେ ସଂଖ୍ୟା ୭ ରହିଛି। ସେହିପରି କେନ୍ଦୁଝରରେ ୩ ଜଣ, କଟକରେ ୨ ଜଣ ଓ କେନ୍ଦ୍ରାପଡ଼ାରେ ଜଣେ ପ୍ରାଣ ହରାଇଛନ୍ତି। କଟକ ଜିଲ୍ଲା ନରସିଂହପୁରରେ ଜଣେ ଓ ଟାଙ୍ଗୀରେ ଜଣଙ୍କର ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଛି।

ଆଜି ସୁଦ୍ଧା ରାଜ୍ୟର ୮ଟି ଜିଲ୍ଲାରେ ଶହ ଶହ ଡାଇରିଆ ରୋଗୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, କେନ୍ଦୁଝର, ପୁରୀ ଓ ବାଲେଶ୍ବରରେ ଝାଡ଼ାବାନ୍ତି ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। ପ୍ରାୟ ସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର।

Leave a Reply

Your email address will not be published. Required fields are marked *