Spread the love

ନୂଆଦିଲ୍ଲୀ : ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ  ଗିରଫ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଆଶ୍ୱସ୍ତି ମିଳି ନାହିଁ। ହିସାର କୋର୍ଟ ସୋମବାର ତାଙ୍କୁ ୧୪ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି। ଏହା ପୂର୍ବରୁ,୨୨ ମେ’ରେ ଜ୍ୟୋତିଙ୍କ ଜାମିନକୁ ନେଇ କୋର୍ଟରେ ଶୁଣାଣି ହୋଇଥିଲା। ସେତେବେଳେ ହିସାରର କୋର୍ଟ ତାଙ୍କର ପୁଲିସ ହେପାଜତ ୪ଦିନ ପାଇଁ ବଢାଇ ଥିଲେ। ୩୩ ବର୍ଷିୟା ୟୁଟ୍ୟୁବରଙ୍କୁ ୫ଦିନିଆ ପୁଲିସ ହେପାଜତର ଅବଧି ଶେଷ ହେବା ପରେ କୋର୍ଟରେ ହାଜର କରାଯାଇ ଥିଲା। ଜ୍ୟୋତି ସେହି ୧୨ଜଣ ଲୋକଙ୍କ ସହ ସାମିଲ ଅଛନ୍ତି, ଯାହାଙ୍କୁ ଗତ ଦୁଇ ସପ୍ତାହରେ ଗୁପ୍ତଚର ସନ୍ଦେହରେ ପଞ୍ଜାବ, ହରିଆଣା ଓ ଉତ୍ତର ପ୍ରଦେଶରୁ ଗିରଫ କରାଯାଇଛି। ତଦନ୍ତକାରୀଙ୍କୁ ଉତ୍ତର ଭାରତରେ ପାକିସ୍ତାନ ସହ ଜଡ଼ିତ ଗୁପ୍ତଚର ନେଟୱାର୍କ ସକ୍ରିୟ ହେବାର ସନ୍ଦେହ ରହିଛି।

ହିସାରରେ ରହୁଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଚ୍ୟାନେଲର ନା ‘ଟ୍ରାଭେଲ ୱିଦ୍‌ ଜୋ’। ନ୍ୟୁ ଅଗ୍ରସେନ ଏକ୍ସଟେନ୍ସନରୁ ଗିରଫ ହେବା ପରେ ତାଙ୍କ ବିରୋଧରେ ସରକାରୀ ଗୋପନୀୟତା ଅଧିନିୟମ ଓ ଭାରତୀୟ ନ୍ୟାୟ ସଂହିତାର ପ୍ରାବଧାନ ଅନୁସାରେ ମାମଲା ରୁଜୁ କରାଯାଇ ଥିଲା। ହିସାର ପୁଲିସ କହିଥିଲା ଯେ, ଏମିତି କୌଣସି ପ୍ରମାଣ ସାମ୍ନାକୁ ଆସି ନାହିଁ, ଯେଉଁଥିରେ ଏହା ଜଣାପଡ଼ିବ ଯେ, ଜ୍ୟୋତିଙ୍କ ପାଖରେ କିଛି ସେନା ବା ପ୍ରତିରକ୍ଷା ସମ୍ୱନ୍ଧୀୟ ସୂଚନା ପହଞ୍ଚୁ ଥିଲା। କିନ୍ତୁ ନିଶ୍ଚିତ ରୂପେ କିଛି ଲୋକଙ୍କ ସଂପର୍କରେ ଥିଲେ ଏବଂ ଜାଣିଥିଲେ ଯେ, ସେ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟ। ପୁଲିସ ସୂତ୍ରାନୁସାରେ , ସେ ପାକିସ୍ତାନୀ ଉଚ୍ଚାୟୋଗରେ କାର୍ଯ୍ୟରତ କର୍ମଚାରୀ ଏହସାନ-ଉର-ରହିମ ଓରଫ ଦାନିଶଙ୍କ ସଂପର୍କରେ ନଭେମ୍ୱର ୨୦୨୩ରୁ ଥିଲେ। ଦାନିଶଙ୍କୁ ଗୁପ୍ତଚର କାର୍ଯ୍ୟରେ ସାମିଲ ହେବା କାରଣରୁ ୧୩ ମେ’ରେ ଭାରତ ବହିଷ୍କାର କରି ଦେଇ ଥିଲା।

ପୁଲିସ ଜ୍ୟୋତି ମାଲହୋତ୍ରାଙ୍କ ୩ଟି ମୋବାଇଲ ଫୋନ୍‌ ଓ ଗୋଟିଏ ଲ୍ୟାପଟପ୍‌କୁ ଫରେନ୍ସିକ୍‌ ଯାଞ୍ଚ ପାଇଁ ପଠାଇଛି ଏବଂ ତାଙ୍କର ୪ଟି ବ୍ୟାଙ୍କ ଆକାଉଣ୍ଟର ମଧ୍ୟ ଯାଞ୍ଚ କରାଯାଉ ଥିବା ପୁଲିସ କହିଛି। ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି , ଗୁଇନ୍ଦା ବ୍ୟୁରୋ ଓ ସେନା ଗୁଇନ୍ଦା ଅଧିକାରୀ ମାନେ ଜ୍ୟୋତିଙ୍କୁ ପଚାରପଚରି କରିଥିଲେ। ଏବେସୁଦ୍ଧା ଯାଞ୍ଚରୁ ଜଣାପଡ଼ିଛି ଯେ , ସେ ପାକିସ୍ତାନ , ଚୀନ , ବାଂଲାଦେଶ ଓ କିଛି ଅନ୍ୟ ଦେଶକୁ ଯାତ୍ରା କରି ସାରିଛନ୍ତି। ପୁଲିସ କହିଛି ଯେ, ୨୨ ଅପ୍ରେଲରେ ପହଲଗାମ ଆତଙ୍କବାଦୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ୪ଦିନ ଯାଏ ଜାରି ରହିଥିବା ସେନା ସଂଘର୍ଷ ବେଳେ ମଧ୍ୟ ମାଲହୋତ୍ରା ଦାନିଶଙ୍କ ସଂପର୍କରେ ଥିଲେ। ଏହାକୁ ନେଇ ମଧ୍ୟ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି। ଏଥିରେ ଗୋଟିଏ ଗୋଟିଏ ଖିଅ ଯୋଡ଼ା ଯାଉଛି।

Leave a Reply

Your email address will not be published. Required fields are marked *