Spread the love

ନୂଆଦିଲ୍ଲୀ: ପାକିସ୍ତାନର ଗୁପ୍ତଚର ନେଟୱାର୍କ ସର୍ବଦା ଜାତୀୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିପଦ ସୃଷ୍ଟି କରିଆସିଛି । ସୈନିକମାନଙ୍କଠାରୁ ହନିଟ୍ରାପ୍ କରି ସମ୍ବେଦନଶୀଳ ସୂଚନା ହାସଲ କରୁଥିବା ପାକିସ୍ତାନୀ ନେଟୱାର୍କର ପର୍ଦ୍ଦାଫାସ କରିବା ପାଇଁ ଅପରେସନ୍ ଫାୟାରୱାଲ୍-୨୦୨୬ ଆରମ୍ଭ କରାଯାଇଛି । ତଦନ୍ତକାରୀ ଟିମ୍‌ଗୁଡ଼ିକ ଏକାସାଙ୍ଗରେ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଚଢ଼ାଉ କରିଛନ୍ତି । ଏହି ମାମଲାରେ ମୋଟ ୧୮ ଜଣ ସନ୍ଦେହ ଘେରରେ ରହିଥିବା ଜଣାପଡିଛି । ଚିନ୍ତାର ବିଷୟ ହେଉଛି, ଏମାନଙ୍କ ମଧ୍ୟରେ ଭାରତୀୟ ନୌସେନାର ୧୩ ଜଣ ଯବାନ ଓ ଅଧିକାରୀ ସାମିଲ ଥିବା କୁହାଯାଉଛି । ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଦିଗରୁ ଏହାର ତଦନ୍ତ କରାଯାଉଛି ।

ସୂଚନା ଅନୁଯାୟୀ, ପାକିସ୍ତାନ ସହ ଜଡ଼ିତ ସନ୍ଦିଗ୍ଧ ଗୁଇନ୍ଦା ନେଟୱର୍କ ବିରୋଧରେ ଆନ୍ଧ୍ରପ୍ରଦେଶ ସମେତ ଦେଶର ଅନେକ ସ୍ଥାନରେ ବଡ଼ ଧରଣର କାଉଣ୍ଟର-ଇଣ୍ଟେଲିଜେନ୍ସ ଅପରେସନ୍ ଆରମ୍ଭ ହୋଇଛି । ଆନ୍ଧ୍ରପ୍ରଦେଶର କାଉଣ୍ଟର-ଇଣ୍ଟେଲିଜେନ୍ସ (CI) ୱିଙ୍ଗ୍ ‘ଅପରେସନ୍ ଫାୟାରୱାଲ୍-୨୦୨୬’ ଅଧୀନରେ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏକାସାଙ୍ଗରେ ତଲାସୀ ଅଭିଯାନ ଚଳାଇଛି । ଏହି ମାମଲାରେ ୧୮ ଜଣ ତଦନ୍ତ ପରିସରରେ ଅଛନ୍ତି । ଯେଉଁମାନଙ୍କ ମଧ୍ୟରୁ ୧୩ ଜଣ ସନ୍ଦିଗ୍ଧ ନୌସେନା କର୍ମଚାରୀ ବୋଲି କୁହାଯାଉଛି । ଏଥିସହ ଏହି ଅପରେସନ୍ ଅଧୀନରେ ୧୨ଟି ଟିମ୍ ନିୟୋଜିତ କରାଯାଇଛି । ତଦନ୍ତକାରୀ ଏଜେନ୍ସିଗୁଡ଼ିକ ପାକିସ୍ତାନ ଇଣ୍ଟେଲିଜେନ୍ସ ଅପରେଟିଭ୍‌ସ (PIOs)ଙ୍କ ସହ ସନ୍ଦିଗ୍ଧମାନଙ୍କର କଥିତ ଯୋଗାଯୋଗ ଏବଂ ବିଶେଷ କରି ଏନ୍‌କ୍ରିପ୍ଟେଡ୍ କମ୍ୟୁନିକେସନ୍ ପ୍ଲାଟଫର୍ମ ମାଧ୍ୟମରେ ସୂଚନା ଆଦାନପ୍ରଦାନ ହୋଇଥିଲା କି ନାହିଁ, ତାହାର ଯାଞ୍ଚ କରୁଛନ୍ତି । ତଲାସୀ ସମୟରେ ଅନେକ ସନ୍ଦିଗ୍ଧଙ୍କ ଇଲେକ୍ଟ୍ରୋନିକ୍ ଉପକରଣ ମଧ୍ୟ ଜବତ କରାଯାଇଛି । ଅତି କମରେ ଦୁଇଜଣ ସନ୍ଦିଗ୍ଧଙ୍କ ବିରୋଧରେ ପ୍ରାଥମିକ ପ୍ରମାଣ ମିଳିଛି । ତଦନ୍ତର ମୁଖ୍ୟ ଫୋକସ୍ ବିଶାଖାପାଟଣାରେ ଥିବା ଭାରତୀୟ ନୌସେନା ଏବଂ ପ୍ରତିରକ୍ଷା ପ୍ରତିଷ୍ଠାନ ସହ ଜଡ଼ିତ ସମ୍ବେଦନଶୀଳ ସୂଚନା ଉପରେ ରହିଛି । ପୂର୍ବ ଉପକୂଳରେ ଅବସ୍ଥିତ ବିଶାଖାପାଟଣା ଭାରତୀୟ ନୌସେନାର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର । ଏଠାରୁ ସମ୍ବେଦନଶୀଳ ସୂଚନା ପାକିସ୍ତାନ ସହ ଜଡ଼ିତ ଅପରେଟିଭ୍‌ମାନଙ୍କ ନିକଟକୁ ପଠାଯାଇଥିଲା ବୋଲି ଅଭିଯୋଗ ହୋଇଛି ।

ବିଶାଖାପାଟଣାରେ CI ଅଧିକାରୀମାନେ ନୌସେନାରେ ଠିକା ଭିତ୍ତିରେ କାମ କରୁଥିବା ସିଭିଲିଆନ୍ ଡ୍ରାଇଭର ଅନ୍ନମ ସାଇ ବରପ୍ରସାଦଙ୍କୁ ଗିରଫ କରିଛନ୍ତି। ତାଙ୍କ ଉପରେ ପ୍ରତିରକ୍ଷା ପ୍ରତିଷ୍ଠାନ ସହ ଜଡ଼ିତ ସମ୍ବେଦନଶୀଳ ସୂଚନା ପାକିସ୍ତାନ ସହ ଜଡ଼ିତ ଜଣେ ଅପରେଟିଭ୍‌ଙ୍କୁ ଦେଇଥିବା ଅଭିଯୋଗ ରହିଛି। ଏହା ବଦଳରେ ତାଙ୍କୁ ଟଙ୍କା ମିଳିଥିଲା କି ନାହିଁ, ତାହା ମଧ୍ୟ ତଦନ୍ତକାରୀମାନେ ଯାଞ୍ଚ କରୁଛନ୍ତି। କୋର୍ଟ ତାଙ୍କୁ ଅକ୍ଟୋବର ୧୪ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।

ଅନ୍ୟପଟେ ଏହି ମାମଲାରେ ୩୧ ବର୍ଷୀୟ ନୌସେନା ଯବାନ ପ୍ରଦୀପ ମୁଖାର୍ଜୀଙ୍କୁ କୋଏମ୍ବାଟୁରରୁ ଗିରଫ କରାଯାଇଛି । ୨୦୧୪ ମସିହାରେ ନୌସେନାରେ ଯୋଗ ଦେଇଥିବା ମୁଖାର୍ଜୀଙ୍କ ଉପରେ କଥିତ ହନିଟ୍ରାପ୍‌ରେ ଫସିବା ପରେ ପାକିସ୍ତାନ ସହ ଜଡ଼ିତ ଅପରେଟିଭ୍‌ମାନଙ୍କୁ ଗୁଇନ୍ଦା ସୂଚନା ଦେଇଥିବା ଅଭିଯୋଗ ରହିଛି । ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ପୋଲିସର ମିଳିତ ଅଭିଯାନ ପରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ମଧ୍ୟ ଅକ୍ଟୋବର ୧୪ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରଖାଯାଇଛି । ଏହା ବ୍ୟତୀତ ଅନ୍ୟ ୧୬ ଜଣ ସନ୍ଦିଗ୍ଧଙ୍କ ବିରୋଧରେ ତଦନ୍ତ ଜାରି ରହିଛି । ତଦନ୍ତକାରୀ ଏଜେନ୍ସିଗୁଡ଼ିକ ସେମାନଙ୍କ ଡିଜିଟାଲ୍ ଯୋଗାଯୋଗ, ଆର୍ଥିକ କାରବାର, ଇଲେକ୍ଟ୍ରୋନିକ୍ ଉପକରଣ ଏବଂ ବିଦେଶୀ ଗୁଇନ୍ଦା ଏଜେଣ୍ଟମାନଙ୍କ ସହ ସମ୍ଭାବ୍ୟ ଯୋଗାଯୋଗର ଯାଞ୍ଚ କରୁଛନ୍ତି ।

Leave a Reply

Your email address will not be published. Required fields are marked *