Spread the love

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍‌ର ରାଳବ ଗାଁରେ ନାଟକ ମଞ୍ଚ ଉପରେ ଘୁଷୁରିକୁ ଜିଅନ୍ତା ଖାଇବା ଘଟଣାରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଖଲ୍ଲିକୋଟ ଅଞ୍ଚଳ ବିମ୍ବାଧର ଗୌଡ଼କୁ ଗିରଫ କରାଯାଇଛି। ନାଟକ ପାଇଁ ବିମ୍ବାଧର ଘୁଷୁରି ଯୋଗାଇଥିବା ଅଭିଯୋଗ ହୋଇଥିଲା। ବନବିଭାଗ ପକ୍ଷରୁ ବିମ୍ବାଧରଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି।

ନାଟକ ଆୟୋଜନ କରିଥିବା କମିଟି ଏବଂ ଯେଉଁମାନେ ମଞ୍ଚରେ ଜିଅନ୍ତା ଘୁଷୁରି ଖାଇଥିଲେ ତାଙ୍କୁ ଚିହ୍ନଟ କରାଯାଇପାରି ନାହିଁ। ଘୁଷୁରି ଯୋଗାଇଥିବା ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି।
ସୂଚନାଯୋଗ୍ୟ,ନଭେମ୍ବର ୨୪ ତାରିଖରେ ରାଲବ ଗାଁରେ ପୌରାଣିକ ନାଟକ ରାମାୟଣ ମଞ୍ଚସ୍ଥ ହୋଇଥିଲା। ନାଟକରେ ମଞ୍ଚରେ ରାକ୍ଷସ ଭୂମିକାରେ ଅଭିନୟ କରିଥିବା କଳାକାମାନେ ଏକ ଛୋଟ ଜିଅନ୍ତା ଘୁଷୁରିକୁ ପଛ ଗୋଡ଼ ଦୁଇଟି ଉପରକୁ ଏବଂ ମୁଣ୍ଡ ତଳକୁ ବାନ୍ଧି ମଞ୍ଚରେ ଝୁଲାଇ ଦେଇଥିଲେ।

ରାକ୍ଷସ ଭୂମିକାରେ ଅଭିନୟ କରୁଥିବା ପ୍ରାୟ ୫ ଜଣ କଳାକାର ଘୁଷୁରି ପାଖକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଝୁଲି ରହିଥିବା ଘୁଷୁରିର ପେଟକୁ ଚିରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଘୁଷୁରିଟି ଛଟପଟ ହୋଇଥିଲା। ସେ ଏକ କପଡ଼ାରେ ଘୁଷୁରିର ଆଗ ଗୋଡ଼ ଦୁଇଟିକୁ ବାନ୍ଧି ଦେଇଥିଲେ।

ତା’ପରେ ସେ ଘୁଷୁରିର ପେଟ ଚିରି ତା’ଅନ୍ତବୁଜୁଳା ବାହାର କରି ଦେଇଥିଲେ। ଏହା ପରେ ଅନ୍ୟ ଜଣେ କଳାକାର ପାଟି ଲଗାଇ ଘୁଷୁରି ପେଟ ଭିତରୁ କିଛି ଅଂଶ ଟାଣି ଆଣି ତାକୁ ଚୋବାଉଥିବା ଦେଖିବାକୁ ମିଳିଥିଲା। ଏମିତି କିଛି ସମୟ ଧରି ଏ ପ୍ରକାର ଅମାନବୀୟ ଦୃଶ୍ୟ ସେଠାରେ ଦେଖିବାକୁ ମିଳିଥିଲା। କିନ୍ତୁ ଉପସ୍ଥିତ ଦର୍ଶକମାନେ ଏହାକୁ ବିରୋଧ କରି ନ ଥିଲେ।

ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ସାଧାରଣ ଲୋକଙ୍କ ସହିତ ପ୍ରାଣୀପ୍ରେମୀମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ଖବର ପ୍ରଚାର ହେବା ପରେ ପୁଲିସ ପକ୍ଷରୁ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଜଣଙ୍କୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *