Spread the love

ନିଆଁ ଲାଗି ୧୦ ନବଜାତକଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶ ଝାନ୍ସି ହସ୍ପିଟାଲରେ ଅସନ୍ତୋଷ। ଅଗ୍ନିକାଣ୍ଡରେ ଆହତ ହୋଇଥିବା ପିଲାମାନଙ୍କୁ ଭେଟିବାକୁ ଅନୁମତି ନ ମିଳିବାରୁ ସେମାନଙ୍କ ବାପାମାଆ ଏବଂ ପରିବାରବର୍ଗ ହସ୍ପିଟାଲ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଉତ୍ତ୍ୟକ୍ତ ଲୋକେ ହସ୍ପିଟାଲ ଫାଟକ ସମ୍ମୁଖରେ ଧାରଣାରେ ବସିବା ସହ ରାସ୍ତାରୋକ କରିଛନ୍ତି। ପିଲାମାନଙ୍କୁ ଭେଟିବାକୁ ଅନୁମତି ଦେବା ଦାବିରେ ସେମାନେ ଏହି ପ୍ରତିବାଦ କରିଛନ୍ତି। ସେପଟେ ଶିଶୁମାନଙ୍କ ପରିଚୟକୁ ନେଇ ଯେପରି କୌଣସି ଦ୍ୱନ୍ଦ୍ୱ ନ ଉପୁଜେ ସେଥିପାଇଁ ଅଭିଭାବକଙ୍କୁ ଭେଟିବାକୁ ଅନୁମତି ଦିଆଯାଉ ନଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ ପାଇଛି।

ପ୍ରକାଶ ଥାଉକି, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜର ନବଜାତ କେୟାର୍ ୟୁନିଟରେ ଅଗ୍ନିକାଣ୍ଡ ଘଟିଥିଲା। ସର୍ଟସର୍କିଟରେ ନିଆଁ ଲାଗି ପୂରା ମହଲାକୁ ବ୍ୟାପି ଯାଇଥିଲା। ଫଳରେ ୧୦ ନବଜାତ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ମୃତକ ମାନେ ୨-୮ ଦିନ ମଧ୍ୟରେ ଜନ୍ମ ହୋଇଥିଲେ।

୪୪ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇ ଥିବାବେଳେ ୧୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ୧୦ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ପରିଚୟ ମିଳିପାରିଛି। ଅନ୍ୟମାନଙ୍କ ପରିଚୟ ପାଇଁ ଡିଏନଏ ପରୀକ୍ଷା କରାଯିବ।

Leave a Reply

Your email address will not be published. Required fields are marked *