Spread the love

ଭଦ୍ରକ : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭଦ୍ରକ ଜିଲ୍ଲା ଗଦି ରାଜସ୍ୱ ନିରୀକ୍ଷକ ବା ଆରଆଇ ଭାଗବତ ଖଟୁଆ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ।
ବିଜୟ ମଲ୍ଲିକ ନାମକ ଜଣେ ବ୍ୟକ୍ତି ନିଜ ଜମିର କିସମ ପରିବର୍ତ୍ତନ କରିବାକୁ ଚାହୁଁଥିଲେ। ଏନେଇ ସେ ଆରଆଇ ଭାଗବତ ଖଟୁଆଙ୍କୁ ଭେଟିଥିଲେ। ଜମିର କିସମ ପରିବର୍ତ୍ତନ କରି ଦେବା ପାଇଁ ଆରଆଇ ଶ୍ରୀ ଖଟୁଆ ରାଜି ହୋଇଥିଲେ। ହେଲେ ଏଥିପାଇଁ ସେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ବିଜୟ ମଲ୍ଲିକ ଲାଞ୍ଚ ନଦେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।
ଅଭିଯୋଗ ପାଇବା ପରେ ଭିଜିଲାନ୍ସ ପକ୍ଷରୁ କରାଯାଇଥିବା ଯୋଜନା ପ୍ରକାରେ ଆଜି ବିଜୟ ମଲ୍ଲିକ ଆରଆଇ ଭାଗବତ ଖଟୁଆଙ୍କୁ ୫ ହଜାର ଟଙ୍କା ଦେଇଥିଲେ। ଶ୍ରୀ ଖଟୁଆ ଲାଞ୍ଚ ଅର୍ଥ ଗ୍ରହଣ କରିବା ପରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।
ଲାଞ୍ଚ ନେଇ ଧରାପଡ଼ିବା ପରେ ଆରଆଇ ଶ୍ରୀ ଖଟୁଆଙ୍କୁ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *