Spread the love

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବିରୋଧରେ ଭାରତୀୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି ବିଜେପି। ଭାରତୀୟ ସମ୍ବିଧାନକୁ ନେଇ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ମହାରାଷ୍ଟ୍ରରେ ରାହୁଲ ଗାନ୍ଧି ମିଛର ପ୍ରଚାର କରୁଛନ୍ତି। ରାଜ୍ୟ ରାଜ୍ୟ ମଧ୍ୟରେ ବିଭେଦ ସୃଷ୍ଟି କରିବା ପାଇଁ ସେ ଚେଷ୍ଟା କରୁଥିବା ବିଜେପି ଅଭିଯୋଗ କରିଛି।
ଏନେଇ ବିଜେପିର ଗୋଟିଏ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)କୁ ଭେଟିଛି। ସିଇଓଙ୍କ ଜରିଆରେ ଇସିଆଙ୍କ ନିକଟରେ ଅଭିଯୋଗ କରାଯାଇଛି। ରାହୁଲ ଗାନ୍ଧି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ଦାବି କରିଛି। ରାହୁଲ ଗାନ୍ଧି ମିଥ୍ୟାର ପ୍ରଚାର କରୁଥିବାରୁ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ମଧ୍ୟ ବିଜେପିର ପ୍ରତିନିଧି ଦଳ କହିଛି।
କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି, “ଆଜି ବିଜେପିର ଗୋଟିଏ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି। ଆମେ ତାଙ୍କୁ କହିଛୁ ଯେ ନଭେମ୍ବର ୬ରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ପୁଣିଥରେ ମିଛର ପ୍ରଚାର କରିଛନ୍ତି। ମହାରାଷ୍ଟ୍ରର ନିର୍ବାଚନ ପ୍ରଚାର ସମୟରେ ସେ ଗୋଟିଏ ରାଜ୍ୟକୁ ଆଉ ଗୋଟିଏ ରାଜ୍ୟ ବିରୋଧରେ ଉସକାଇଛନ୍ତି।
ସେ ସମ୍ବିଧାନକୁ ଦେଖାଇବା ସହ ଏହାକୁ ବିଜେପି ଧ୍ୱଂସ କରିଦେବାକୁ ଚାହୁଁଥିବା କହିଛନ୍ତି। ଏହା ପୂରା ମିଛ। ଆମେ ଇସିଙ୍କୁ ଏହା ବନ୍ଦ ହେବା ଦରକାର ବୋଲି ଅନୁରୋଧ କରିଛୁ। ରାହୁଲ ଗାନ୍ଧି ଏପରି ମିଛ ବୟାନ ଦେବାରେ ପୂରା ଅଭ୍ୟସ୍ତ ଓ ସେ ଏହାକୁ ବନ୍ଦ କରୁ ନାହାନ୍ତି। ବିଭିନ୍ନ ପ୍ରକାରର ନୋଟିସ ଓ ଚେତାବନୀ ସତ୍ତ୍ୱେ ସେ ସୁଧୁରୁ ନାହାନ୍ତି। ଭାରତୀୟ ନ୍ୟାୟ ସଂହିତାର ଧାରା ୩୫୩ ଅଧୀନରେ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ମଧ୍ୟ ଆମେ କହିଛୁ।”
ନଭେମ୍ବର ୬ରେ ରାହୁଲ ଗାନ୍ଧି ମୁମ୍ବାଇରେ ଆୟୋଜିତ ଏକ ରାଲିରେ କହିଥିଲେ ଯେ ମହାରାଷ୍ଟ୍ର ମୂଲ୍ୟ ବଦଳରେ ଆପଲ ଆଇଫୋନ ଓ ବୋଇଂ ଏରୋପ୍ଲେନ୍ସ ଅନ୍ୟ ରାଜ୍ୟରେ ନିର୍ମାଣ କରାଯାଉଛି। ସମାନ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧି ଦାବି କରିଥିଲେ ଯେ ବିଜେପି ଓ ଆରଏସଏସ ଭାରତର ସମ୍ବିଧାନକୁ ଧ୍ୱଂସ କରିଦେବାକୁ ଚାହୁଁଛନ୍ତି। ରାହୁଲଙ୍କ ଏପରି ବୟାନ ବିରୋଧରେ ବିଜେପି ଆଜି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି।

Leave a Reply

Your email address will not be published. Required fields are marked *