Spread the love

ମୁମ୍ବାଇ : ଶିବସେନା(ୟୁବିଟି)ର ମୁଖ୍ୟ ଉଦ୍ଧବ ଠାକରେ ଅତ୍ୟନ୍ତ କ୍ରୋଧିତ ହୋଇ ସୋମବାର ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ମହାରାଷ୍ଟ୍ରର ୱାନି ହେଲିପ୍ୟାଡରେ ନିର୍ବାଚନ ଅଧିକାରୀମାନେ ତାଙ୍କ ବ୍ୟାଗ୍‌ ଓ ହେଲିକପ୍ଟରକୁ ଯାଞ୍ଚ କରିବା ବେଳର ଦୃଶ୍ୟ ଏଥିରେ ରହିଛି। ନିର୍ବାଚନ ପ୍ରଚାର ପାଇଁ ଉଦ୍ଧବ ଠାକରେ ହେଲିପ୍ୟାଡରେ ପହଞ୍ଚିବା କ୍ଷଣି ତାଙ୍କ ହେଲିକପ୍ଟର ଓ ବ୍ୟାଗକୁ ନିର୍ବାଚନ ଅଧିକାରୀମାନେ ଯାଞ୍ଚ କରିଛନ୍ତି। ରାଜ୍ୟରେ ଏବେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି। ତେଣୁ ଅଧିକାରୀମାନେ ଅଚାନକ ବିଭିନ୍ନ ନେତାଙ୍କୁ ଯାଞ୍ଚ କରୁଛି। ଏହିକ୍ରମରେ ଅଧିକାରୀମାନେ ଉଦ୍ଧବ ଠାକରେଙ୍କ ହେଲିକପ୍ଟର ଓ ବ୍ୟାଗ ଯାଞ୍ଚ କରିଥିଲେ।
ଏହି ଯାଞ୍ଚ ବେଳର ଦୃଶ୍ୟକୁ ନିଜେ ଉଦ୍ଧବ ଠାକରେ ମୋବାଇଲରେ ରେକର୍ଡ କରିଛନ୍ତି। କ’ଣ ସେମାନେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଅଜିତ ପାୱାରଙ୍କ ବ୍ୟାଗକୁ ଚେକ କରୁଛନ୍ତି ବୋଲି ଉଦ୍ଧବ ପ୍ରଶ୍ନ କରୁଛନ୍ତି।
ନିର୍ବାଚନ ଅଧିକାରୀମାନେ ମହାରାଷ୍ଟ୍ରକୁ ପ୍ରଚାର ପାଇଁ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କର ବ୍ୟାଗକୁ ମଧ୍ୟ ଯାଞ୍ଚ କରୁଛନ୍ତି କି ନାହିଁ, ସେକଥା ମଧ୍ୟ ଉଦ୍ଧବ ପଚାରୁଛନ୍ତି। ଉଦ୍ଧବଙ୍କ ବ୍ୟାଗ ଯାଞ୍ଚ କରୁଥିବା ଅଧିକାରୀମାନଙ୍କ ପରିଚୟପତ୍ର ଯାଞ୍ଚ କରିବାକୁ ସେ ନିଜର କର୍ମୀମାନଙ୍କୁ କହୁଥିବା ଭିଡିଓରେ ଶୁଣିବାକୁ ମିଳୁଛି।
ସେ କହିଛନ୍ତି, “ଆପଣମାନେ ନିଜର ଦାୟିତ୍ୱ କରୁଛନ୍ତି ଓ ମୁଁ ମଧ୍ୟ ମୋ ଦାୟିତ୍ୱ କରିବି। ଯେଉଁଭଳି ଭାବେ ଆପଣ ମୋ ବ୍ୟାଗ ଯାଞ୍ଚ କରୁଛନ୍ତି, କ’ଣ ଅନୁରୂପ ପଦକ୍ଷେପ ମୋଦି ଓ ଶାହଙ୍କ କ୍ଷେତ୍ରରେ ନେଉଛନ୍ତି?”
ଶିବସେନାରେ ବିଦ୍ରୋହ ଯୋଗୁ ୨୦୨୨ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଉଦ୍ଧବ ଠାକରେଙ୍କ କହିବା କଥା ଯେ ଯଦି ନିର୍ବାଚନ ଅଧିକାରୀମାନେ ଶାସକ ଦଳର ନେତାଙ୍କ ବ୍ୟାଗ ଯାଞ୍ଚ କରିବେ ନାହିଁ, ତା’ହେଲେ ମହା ବିକାଶ ଅଘାଡ଼ି ସେମାନଙ୍କର ଯାଞ୍ଚ କରିବେ। ସେ କହିଛନ୍ତି, “ସବୁ କିଛି ବେକାର ଜିନିଷ ଚାଲିଛି। ଏହାକୁ ମୁଁ ଆଦୌ ଗଣତାନ୍ତ୍ରିକ ବ୍ୟବସ୍ଥା ବୋଲି ଭାବୁନାହିଁ। ଏହା କେବେ ହେଲେ ଗଣତନ୍ତ୍ର ନୁହେଁ। ଗଣତନ୍ତ୍ରରେ କେହି ବି ବଡ଼ କିମ୍ବା ଚୋଟ ନୁହନ୍ତି।”
ଏହି ପ୍ରସଙ୍ଗ ଉଦ୍ଧବ ଠାକରେ ପରବର୍ତ୍ତୀ ଅବସ୍ଥାରେ ୱାନିରେ ଆୟୋଜିତ ଶିବସେନା(ୟୁବିଟି)ର ନିର୍ବାଚନ ରାଲିରେ ମଧ୍ୟ ଉଠାଇଥିଲେ।

Leave a Reply

Your email address will not be published. Required fields are marked *