Spread the love

କର୍ଣ୍ଣାଟକାର କ୍ଷମତାସୀନର କଂଗ୍ରେସର ମନ୍ତ୍ରୀ ଜମୀର ଅହମଦ ଖାନ କେନ୍ଦ୍ରମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀଙ୍କ ବିରୋଧରେ ବର୍ଣ୍ଣବୈଷମ୍ୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ରାଜ୍ୟରେ ରାଜନୀତିକ ହଟଚମଟ ଦେଖିବାକୁ ମିଳିଛି। କୁମାରସ୍ୱାମୀଙ୍କ ଦଳ ଜେଡିଏସ ଏଥିପାଇଁ ଖାନଙ୍କୁ ସମାଲୋଚନା କରିବା ସହ ତାଙ୍କୁ କର୍ଣ୍ଣାଟକା କ୍ୟାବିନେଟରୁ ବହିଷ୍କୃତ କରିବାକୁ ଦାବି କରିଛି।

ଛନପାଟନାର କଂଗ୍ରେସ ପ୍ରାର୍ଥୀ ସିପି ଯୋଗେଶ୍ୱରାଙ୍କ ସମ୍ପର୍କରେ ମତ ରଖିବା ବେଳେ ଖାନ ବିବାଦୀୟ ଟିପ୍ପଣୀ କରିଥିଲେ। ଯୋଗେଶ୍ୱରା ବିଜେପିରେ ମିଶିଥିଲେ ହେଁ ନିକଟରେ ପୁଣି କଂଗ୍ରେସକୁ ଫେରିଛନ୍ତି।

ଏହା ଉପରେ ପ୍ରତିକ୍ରିୟା ଦେଇ ଖାନ କହିଥିଲେ ଯେ “ଆମ ଦଳରେ କିଛି ମତ ପାର୍ଥକ୍ୟ ଯୋଗୁ ସେ(ଯୋଗେଶ୍ୱରା) ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ। ତାଙ୍କ ପାଖରେ କୌଣସି ବିକଳ୍ପ ନଥିବାରୁ ସେ ବାଧ୍ୟ ହୋଇ ବିଜେପିରେ ମିଶିଥିଲେ।

ସେ ଜେଡିଏସରେ ସାମିଲ ହେବାକୁ ଆଦୌ ରାଜି ନଥିଲେ। କାରଣ କାଳିଆ କୁମାରସ୍ୱାମୀ ବିଜେପି ଠାରୁ ଆହୁରି ବିପଦଜନକ ଥିଲେ। ଏବେ ଯୋଗେଶ୍ୱରା ଘରକୁ ଫେରି ଆସିଛନ୍ତି।”

କୃଷ୍ଣକାୟ ଲୋକଙ୍କ ପ୍ରତି ସାଧାରଣତଃ କାଳିଆ ଭଳି ବର୍ଣ୍ଣ ବୈଷମ୍ୟ ମତ ରଖାଯାଇଥାଏ। ଯୋଗେଶ୍ୱରା ଛନପାଟନାରେ ଅନୁଷ୍ଠିତ ଉପ ନିର୍ବାଚନରେ କୁମାରସ୍ୱାମୀଙ୍କ ପୁଅ ନିଖିଲଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି। ନିଖିଲ ଏନଡିଏର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି।

ଜେଡିଏସ ଖାନଙ୍କ ବୟାନକୁ ବର୍ଣ୍ଣ ବୈଷମ୍ୟର ଆଖ୍ୟା ଦେବା ସହ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେଙ୍କ ରଙ୍ଗ କ’ଣ ବୋଲି ପ୍ରଚାରିଛି। ଏଥିସହ ମନ୍ତ୍ରୀ ଏଚସି ମହାସେବାପ୍ପା, ସତୀଶ ଜାରକିହୋଲି, ପ୍ରିୟଙ୍କ ଖଡଗେ ଓ କେଏଚ ମୁନିୟାପ୍ପାଙ୍କ ଶରୀରର ରଙ୍ଗ ସମ୍ପର୍କରେ ମଧ୍ୟ ପ୍ରଶ୍ନ କରିଛି।

ଏପରି ବୟାନକୁ ଅତ୍ୟନ୍ତ ନିମ୍ନମାନର ରାଜନୀତି ବୋଲି ଜେଡିଏସ କହିବା ସହ ଏକ୍ସରେ ପୋଷ୍ଟ କରିଛି ଯେ “କ୍ୟାବିନେଟରୁ ତୁରନ୍ତ ଏପରି ଜଣେ ନିମ୍ନ ମାନସିକତାର ଲୋକଙ୍କୁ ବହିଷ୍କାର କରାଯାଉ।”

କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଖାନଙ୍କ ବୟାନକୁ ତୀବ୍ର ବିରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *