Spread the love

ପୁରୀ: ଆଜି ପବିତ୍ର ଅଁଳା ନବମୀ । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିକୁ ଅଁଳା ନବମୀ ଭାବରେ ପାଳନ କରାଯାଏ । ଏହାକୁ ଅକ୍ଷୟ ନବମୀ ବୋଲି ମଧ୍ୟ କୁହାଯାଏ । ଆଜି ରାଧାପାଦ ମଧ୍ୟ ଦର୍ଶନ କରିବାର ସୌଭାଗ୍ୟ ପାଇଥାନ୍ତି ଶ୍ରଦ୍ଧାଳୁ । ହିନ୍ଦୁ ଧର୍ମରେ ଅଁଳା ନବମୀର ବିଶେଷ ମହତ୍ତ୍ବ ରହିଛି । ଏହି ଦିନ ଅଁଳା ଗଛକୁ ପୂଜା କରାଯାଏ । ଏହା ଦ୍ବାରା ଅଖଣ୍ଡ ସୌଭାଗ୍ୟ ଆରୋଗ୍ୟ ଓ ସୁଖ ପ୍ରାପ୍ତି ହୁଏ ବୋଲି ପ୍ରତିଟି ଓଡିଆଙ୍କ ମନରେ ବିଶ୍ବାସ ରହିଛି । ଏହି ଦିନ ଦାନ ପୂଣ୍ୟ କଲେ ଏହି ଜନ୍ମ ସହ ଆସନ୍ତା ଜନ୍ମରେ ମଧ୍ୟ ଫଳ ମିଳିଥାଏ ।

ଆଜି ପୁରୀର ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀଗୋପିନାଥ ଦେବ ମନ୍ଦିରରେ ଶ୍ରୀରାଧାଙ୍କ ପାଦ ଦର୍ଶନ କରିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଏଥି ପାଇଁ ମନ୍ଦିର ପରିଚାଳନା କମିଟି, ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିଲା । ଆଜି ଭୋର ସକାଳୁ ଦ୍ୱାର ଫିଟା ନୀତି ସରିବା ପରେ ୬ଟାରୁ ଭକ୍ତଙ୍କୁ ଦର୍ଶନ ଆରମ୍ଭ ହୋଇଥିଲା । ଶ୍ରୀରାଧାଙ୍କ ଓଡିଆଣୀ ବେଶରେ ପାଦ ଦର୍ଶନ କଲେ ଶ୍ରଦ୍ଧାଳୁ । ଆଉ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏବଂ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଅନ୍ୟାନ୍ୟ ପଦକ୍ଷେପ ନେଇଥିଲା ପ୍ରଶାସନ ।

କୁହାଯାଏ ଅଁଳା ନବମୀ ତିଥିରେ ଅଁଳା ବୃକ୍ଷକୁ ପୂଜା ଓ ପରିକ୍ରମା ପୂର୍ବକ ତା’ରି ମୂଳରେ ଭୋଜନ ପ୍ରସ୍ତୁତ କରି ବିଷ୍ଣୁ ଓ ଶିବଙ୍କୁ ଭୋଗ ଲଗେଇଲେ ସମଗ୍ର କାର୍ତ୍ତିକ ମାସର ପୁଣ୍ୟ ଗୋଟିଏ ଦିନରେ ପ୍ରାପ୍ତି ହୋଇଥାଏ। ମହିଳାମାନେ ସନ୍ତାନ ପ୍ରାପ୍ତି ତଥା ସନ୍ତାନଙ୍କର ମଙ୍ଗଳ କାମନା କରି ଅଁଳାଗଛକୁ ପୂଜା କରିଥାନ୍ତି । ହଳଦୀ, ସିନ୍ଦୂର ଆଦି ଲଗାଇବା ପରେ ଗଛରେ କ୍ଷୀର ଅର୍ପଣ କରାଯାଏ। ଏହାପରେ ଗଛର ପରିକ୍ରମା କରାଯାଏ। ଗଛରେ ନାଲି ସୂତା ଗୁଡ଼ା ଯାଇଥାଏ। ପୂଜା ପରେ ବ୍ରତ କଥା ପଢ଼ାଯାଏ। ହବିଷ୍ୟାଳିମାନେ କାର୍ତ୍ତିକ ମାସରେ ଅଁଳା ଗଛ ମୂଳରେ ହବିଷାନ୍ନ ରାନ୍ଧିବା ସହ ଚାରିପଟେ ପ୍ରଦକ୍ଷିଣ କରିଥାନ୍ତି । ପଦ୍ମପୁରାଣ ଅନୁଯାୟୀ, ଏହି ଦିନ ଅଁଳା ବୃକ୍ଷର ପୂଜା କରିବା ଦ୍ୱାରା ପାପ ନଷ୍ଟ ହୋଇଥାଏ।

Leave a Reply

Your email address will not be published. Required fields are marked *