Spread the love

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଡପାନି ରାସ୍ତାରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଯାହା ପରେ ଦୁଇ ବାଇକ୍‌ ବିଚ୍‌ ରାସ୍ତାରେ ହୁତୁହୁତ ହୋଇ ଜଳିବାକୁ ଲାଗିଲା।

ଏହି ଅଘଟଣରେ ଜଣେ ବାଇକ୍‌ ଚାଳକ ଜୀଅନ୍ତା ଜଳି ଯାଇଥିବା ବେଳେ ଦୁଇ ଜଣ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ମୃତକ ଜଣକ ଅଶୋକ ଅଗ୍ରୱାଲ ବୋଲି ଜଣାପଡିଛି। ଆଜି ସକାଳେ ଗୋଟିଏ ବାଇକ୍‌ରେ ଝାଡ଼ଖଣ୍ଡର ଅଶୋକ ଅଗ୍ରୱାଲ ରାଏବୋଗା ପଟୁ ବୀରମିତ୍ରପୁର ଆଡକୁ ଆସୁଥିଲେ।

ଅନ୍ୟ ବାଇକ୍‌ରେ ଦୁଇ ଜଣ ବୀରମିତ୍ରପୁର ପଟୁ ରାଏବୋଗା ଅଭିମୁଖେ ଯାଉଥିଲେ। ସୂଚନା ଅନୁଯାୟୀ, ଉଭୟ ଗାଡ଼ି ଦ୍ରୁତ ଗତିରେ ଥିବା ବେଳେ କୁଡପାନି ରାସ୍ତାରେ ପରସ୍ପର ସହ ଜୋରରେ ପିଟି ହୋଇଥିଲେ। ଏହାପରେ ହଠାତ୍‌ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିବା ବେଳେ ଅଶୋକ ବାଇକରେ ଫସି ଯାଇଥିବାରୁ ତାଙ୍କୁ ଉଦ୍ଧାର କରିପାରିନଥିଲେ। ଫଳରେ ସେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ଖବର ପାଇ ଘଟଣାସ୍ଥଳରେ ବୀରମିତ୍ରପୁର ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଦୁଇ ବାଇକ୍ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ମୃତ ଶରୀରକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି।

ଅପରପକ୍ଷରେ ପୋଲିସ୍‌ ଗୁରୁତରମାନଙ୍କୁ ଉଦ୍ଧାର କରି ପ୍ରଥମେ ବୀରମିତ୍ରପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *