Spread the love

ଢେଙ୍କାନାଳ : ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ କପିଳାସରେ ପୁଣି ଅବ୍ୟବସ୍ଥା ଓ ନୀତି ବିଭ୍ରାଟ ଦେଖାଯାଇଛି। ସୋମବାର ଓ ମଙ୍ଗଳବାର ଦୁଇ ଦିନ ହେଲା ଠାକୁରଙ୍କ ସକାଳ ଧୂପ ଦିନ ୨ଟାରେ ହେଉଛି। ଶ୍ରୀଜୀଉଙ୍କ ସେବାନୀତି କରିବା ପାଇଁ ସୁଆର ବିଳମ୍ବରେ ପୀଠରେ ପହଞ୍ଚିବାରୁ ଏପରି ନୀତି ବିଭ୍ରାଟ ହେଉଥିବା ବରିଷ୍ଠ ସେବାୟତ ସତ୍ୟାନନ୍ଦ ପତି ଅଭିଯୋଗ କରିଛନ୍ତି। ଶ୍ରୀ ପତି ଅଭିଯୋଗ କହିଛନ୍ତି ଯେ, ପୀଠରେ ସୁଆର ନଥିବାରୁ ଦିନ ୨ଟା ବେଳକୁ ନୀତି କାନ୍ତି କରାଗଲା। କପିଳାସରେ ଦେବୋତ୍ତର ବିଭାଗ ଦ୍ୱାରା ୬ ଜଣ ସୁଆର ନିଯୁକ୍ତି ହୋଇଛନ୍ତି, ସେମାନେ ଭାଗ ବାଣ୍ଟି ପାଳିରେ ଠାକୁରଙ୍କ ପାଇଁ ଭୋଗ ରାନ୍ଧନ୍ତି। ଗତକାଲିଠାରୁ ଜଣେ ସୁଆର ସେବାୟତ ନାନା ପ୍ରକାରର ପ୍ରସାଦ ରାନ୍ଧିବାରେ ସକ୍ଷମ ହୋଇପାରୁ ନଥିବାରୁ ଠାକୁର ଓପାସ ରହୁଛନ୍ତି। କପିଳାସ ପୀଠକୁ ଦେବୋତ୍ତର ଯେତିକି ଗୁରୁତ୍ୱ ଦେବାକଥା ଦେଉନି। ସେଠାରେ ଜିମାଦାର ନାହାନ୍ତି, ନିରୀକ୍ଷକ ଜମା ଯାଉ ନାହାନ୍ତି, ଫଳରେ ପୀଠରେ ପ୍ରାୟ ସମୟ ନୀତି ବିଭ୍ରାଟ ହେଉଛି। ଏନେଇ ଦେବୋତ୍ତର ବିଭାଗ ୩ ଜଣ ସୁଆର ଜ୍ବରରେ ପଡ଼ିବା ଓ ଅନ୍ୟ ଜଣେ ବ୍ୟକ୍ତିଗତ ଅସୁବିଧା ଯୋଗୁଁ ନୀତିରେ ସାମାନ୍ୟ ବିଳମ୍ବ ହୋଇଥିବା ଦେବୋତ୍ତର ନିରୀକ୍ଷକ ପ୍ରଦ୍ୟୁମ୍ନ ତ୍ରିପାଠୀ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଗତବର୍ଷ ଜନ୍ମାଷ୍ଟମୀ ଦିନ କପିଳାସର ଶ୍ରୀ ନାରାୟଣଙ୍କ ପୀଠରେ ଶ୍ରୀମଦଭଗବତ ଗୀତାର ଦଶମ ସ୍କନ୍ଧର ପଞ୍ଚମ ଅଧ୍ୟାୟ ପଢାଯାଇ ନଥିଲା। ଜନ୍ମାଷ୍ଟମୀରେ ପଢାଯିବାର ବିଧି ରହିଛି, ମାତ୍ର ସେଦିନ ବହିଟି ଆଲମିରାରେ ରହିଗଲା। ଚାବି ନ ଥିବାରୁ ଭାଗବତ ପଢାଯାଇପାରି ନଥିଲା। ଠାକୁରଙ୍କ ନାମରେ ୫ ହଜାର ଏକରରୁ ଅଧିକ ଭୂ-ସମ୍ପତ୍ତି, ୧୭ କୋଟିରୁ ଅଧିକ ଜମା ରାଶି ଆହୁରି ଅନେକ ରହିଛି। ହେଲେ ଦେବୋତ୍ତର ବିଭାଗର ଉତ୍ତର ଦାୟିତ୍ୱ ନଥିବା ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *