Spread the love

ଗୌହାଟୀ : ଉତ୍ତର ପୂର୍ବାଞ୍ଚଳରେ ଜାରି ରହିଛି ବର୍ଷା। ଏଥିଯୋଗୁ ଆସାମରେ ବନ୍ୟା ସ୍ଥିତି ଭୟଙ୍କର ହୋଇଛି। ପାଣିରେ ଉବୁଟୁବୁ ହେଉଛି ପୂରା ଆସାମ। ବନ୍ୟା ଯୋଗୁ ପ୍ରୟାୟ ୨୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଅସାମରେ ବନ୍ୟା ଯୋଗୁ ଆଉ ୬ ଜଣଙ୍କ ମୃତ୍ୟୁ ହୋଇଛି।
ଚରାଇଦେବରେ ୨ ଜଣ, ଗ୍ୱାଲପାଡା, ମୋରିଗାଁ, ସୋନିତପୁର ଓ ତିନସୁକିଆ ଜିଲ୍ଲାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଚଳିତ ବର୍ଷ ବନ୍ୟା, ଝଡ଼ ତୋଫାନ ଓ ଭୂସ୍ଖଳନ ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଅନେକ ଜୀବନ ଯାଇଛି। ଏଥିଯୋଗୁ ପ୍ରାୟ ୭୨ ଜଣଙ୍କ ମୃତ୍ୟୁ ହୋଇଛି। କେବଳ ବନ୍ୟାରେ ହିଁ ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଭୂସ୍ଖଳନ ଯୋଗୁ ୧୨ ଜଣଙ୍କ ମୃତ୍ୟୁ ଘଟିଛି।
ଆସାମର ୬.୪୮ ଲକ୍ଷ ଲୋକ ବସବାସ କରୁଥିବା ଧୁବରୀ ଜିଲ୍ଲା ସବୁଠାରୁ ଅଧିକ ବନ୍ୟା ପ୍ରଭାବିତ ହୋଇଛି । ପୂର୍ବାତ୍ତର ରାଜ୍ୟ ଗୁଡିକରେ ଥିବା ପ୍ରମୁଖ ନଦୀ ମାନଙ୍କରେ ଜଳସ୍ତର ବିପଦ ସଂକେତ ଉପରେ ରହୁଥିବାରୁ ସବୁ ସମୟରେ ବନ୍ୟାର ଭୟ ଲାଗି ରହିଛି। ରାଜ୍ୟର ୨୯ ଜିଲ୍ଲାର ପ୍ରାୟ ୨୩,୯୬,୬୪୮ ଲକ୍ଷ ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଥିବା ବେଳେ ୬୮,୭୬୮.୫ ହେକ୍ଟର ଫସଲ ଜଳମଗ୍ନ ହୋଇଛି। ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ପ୍ରଭାବିତ ଅଞ୍ଚଳ ବୁଲି ସମୀକ୍ଷା କରିଛନ୍ତି ।
ସେପଟେ ଆସାମ ବନ୍ୟା ବିଭୀଷିକାରୁ ପ୍ରସିଦ୍ଧ କାଜିରଙ୍ଗା ଜାତୀୟ ଉଦ୍ୟାନ ମଧ୍ୟ ବାଦ୍‌ ପଡ଼ିନାହିଁ। ଭୟଙ୍କର ବନ୍ୟାରେ କାଜିରଙ୍ଗା ଜାତୀୟ ଉଦ୍ୟାନର ୧୧୪ ବନ୍ୟଜନ୍ତୁଙ୍କର ମୃତ୍ୟୁ ଘଟିଛି। ସେହିପରି ଶନିବାର ସୁଦ୍ଧା ୯୫ ବନ୍ୟଜନ୍ତୁଙ୍କୁ ଉଦ୍ଧାର କରାଯାଇଥିବା ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ବନ୍ୟାଜଳରେ ବୁଡ଼ିଯାଇ ୪ ଗଣ୍ଡା,୯୪ ହଗ୍‌ ହରିଣଙ୍କର ମୃତ୍ୟୁ ଘଟିଛି। ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗର କର୍ମଚାରୀମାନେ ଏହି ଜାତୀୟ ଉଦ୍ୟାନରେ ଥିବା ବିଭିନ୍ନ କ୍ୟାମ୍ପରେ ରହି ପାଟ୍ରୋଲିଂ କରୁଛନ୍ତି।

Leave a Reply

Your email address will not be published. Required fields are marked *