Spread the love

ରାଞ୍ଚି : ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଝଟ୍‌କା। ତାଙ୍କୁ ମିଳିଲାନି ଜାମିନ୍‌। ତାଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଲେ କୋର୍ଟ।
ଜମି ଦୁର୍ନୀତି ମାମଲାରେ ଜେଲରେ ଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ। ତାଙ୍କ ବଡବାପାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ କୋର୍ଟଙ୍କୁ ୧୩ ଦିନର ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ। ହେଲେ ଏହି ଆବେଦନର ଶୁଣାଣି କରି ରାଞ୍ଚିର ସ୍ୱତନ୍ତ୍ର ପିଏମଏଲଏ କୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେବାକୁ ମନା କରି ଦେଇଛନ୍ତି। ଫଲରେ ସେ ଆଉ ନିଜ ବଡବାପା ରାଜାରାମ ସୋରେନଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ପାରିବେ ନାହିଁ।
ଆଜି କୋର୍ଟରେ ଦାଖଲ ହୋଇଥିବା ଆବେଦନରେ ବଡବାପା ରାଜାରାମ ସୋରେନ୍‌ଙ୍କ ଏପ୍ରିଲ ୨୭ରେ ଦେହାନ୍ତ ହୋଇଥିବା ନେଇ ହେମନ୍ତ ସୋରେନ୍‌ଙ୍କ ଓକିଲ ଦର୍ଶାଇଥିଲେ। ଏଥିଯୋଗୁ ସେ ତାଙ୍କ ଦଶାହ କାର୍ଯ୍ୟରେ ସାମିଲ ହେବାକୁ କୋର୍ଟଙ୍କ ୧୩ ଦିନର ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଅନୁମତି ମାଗିଥିଲେ। ତେବେ କୋର୍ଟରେ ଶୁଣାଣି ବେଳେ ଇଡି ଏହାକୁ ବିରୋଧ କରିଥିଲା। ଏହାପରେ କୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ।
କହି ରଖୁଛୁ ଯେ ଜେଏମଏମ ସଭାପତି ଶିବୁ ସୋରେନଙ୍କ ବଡ଼ ଭାଇ ରାଜାରାମ ସୋରେନଙ୍କ ଶନିବାର ସକାଳେ ତାଙ୍କ ରାଞ୍ଚି ବାସଭବନରେ ଦେହାନ୍ତ ହୋଇଥିଲା । ରାଜାରାମ ସୋରେନ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ।
ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାନୁଆରୀ ୩୧ରେ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ପ୍ରାୟ ୩ ମାସ ହେଲା ନ୍ୟାୟିକ ହେପାଜତରେ ଅଛନ୍ତି।

Leave a Reply

Your email address will not be published. Required fields are marked *