Spread the love

ମୁମ୍ବାଇ : କଟିଲା ପୁନମ୍‌ ମହାଜନଙ୍କ ଟିକେଟ୍‌ । ଏବେ ତାଙ୍କ ବଦଳରେ ନିର୍ବାଚନ ଲଢ଼ିବେ ୨୬/୧୧ ଆତଙ୍କବାଦୀ ଆକ୍ରମଣ ମାମଲା ବରୋଧରେ ଲଢ଼ିଥିବା ଓକିଲ ଉଜ୍ଜ୍ୱଳ ନିକମ୍‌। ତାଙ୍କୁ ବିଜେପି ଟିକେଟ୍‌ ଦେଇଛି।
ବିଜେପି ପକ୍ଷରୁ ଆଜି ଲୋକସଭା ନିର୍ବାଚନ ପାଇଁ ୧୫ତମ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ପୁନମ୍‌ ମହାଜନଙ୍କ ଟିକେଟ୍‌ କାଟି ମୁମ୍ବାଇର ନର୍ଥ ସେଣ୍ଟ୍ରାଲ ଆସନରୁ ଆତଙ୍କବାଦୀ ଅଜମଲ କସାବ୍ ବିରୋଧରେ ଲଢ଼ିଥିବା ଓକିଲ ଉଜ୍ଜ୍ୱଳ ନିକମ୍‌ଙ୍କୁ ଦଳ ପ୍ରାର୍ଥୀ କରିଛି। ଏହି ଆସନରେ କଂଗ୍ରେସ ବର୍ଷା ଗାଇକୱାଡଙ୍କୁ ଟିକେଟ୍ ଦେଇଛି।
ଦୀର୍ଘ ଦିନ ହେବ ବିଜେପି ଏହି ଆସନରେ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ମାନସ ମନ୍ଥନ ଚଳାଇଥିଲା। ଶେଷରେ ଏବେ ଓକିଲ ଉଜ୍ଜ୍ୱଳ ନିକମ୍‌ଙ୍କ ଉପରେ ଦଳ ଭରସା କରିଛି। ଉଜ୍ଜ୍ୱଳ ନିକମ ୨୬/୧୧ ମୁମ୍ବାଇ ଆକ୍ରମଣ ମାମଲାରେ କସାବ୍‌କୁ ଫାଶୀ ଦେବା ସହ ୧୯୯୩ ବୋମା ବିସ୍ଫୋରଣ, ଗୁଲସନ କୁମାର ହତ୍ୟାକାଣ୍ଡ ଏବଂ ପ୍ରମୋଦ ମହାଜନ ହତ୍ୟାକାଣ୍ଡ ଭଳି ହାଇ ପ୍ରୋଫାଇଲ ମାମଲାରେ ସରକାରୀ ଓକିଲ ଭାବେ ଲଢ଼ି କେସ୍‌ ଲଢ଼ି ସାରିଛନ୍ତି।
ନିକମଙ୍କୁ ଆତଙ୍କବାଦ ସମ୍ବନ୍ଧୀୟ ମାମଲାର ଗୁରୁ ବୋଲି କୁହାଯାଉଛି। ସେ ଦେଶର ସବୁଠୁ ପ୍ରସିଦ୍ଧ ଓକିଲଙ୍କ ମଧ୍ୟରୁ ଜଣେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୬୨୮ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଏବଂ ୩୭ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ୨୬/୧୧ ମାମଲାରେ ଜୀବନ୍ତ ଧରାପଡିଥିବା ଆତଙ୍କବାଦୀ ଅଜମଲ କସାବ୍ ମାମଲା ଦାଏର ହେବାପରେ, ସରକାରୀ ଓକିଲ ଭାବେ ତା ବିରୋଧରେ ଲଢ଼ି ନିକମ ପ୍ରଥମ ଥର ପାଇଁ ଚର୍ଚ୍ଚାକୁ ଆସିଥିଲେ।
ବାପା ପ୍ରମୋଦ ମହାଜନଙ୍କ ହତ୍ୟାପରେ ୨୦୦୬ରେ ପୁନମ୍ ମହାଜନ ବିଜେପିରେ ସାମିଲ ହୋଇଥିଲେ। ଗତ ଲୋକସଭା ନିର୍ବାଚନ ତଥା ୨୦୧୯ରେ ଏହି ଆସନରୁ ବିଜେପି ଟିକେଟରେ ପୁନମ ମହାଜନ ନିର୍ବାଚନ ଲଢ଼ି ବିଜୟ ହାସଲ କରିଥିଲେ। ସେ ମୋଟ ୪୮୬୬୭୨ ଭୋଟ୍‌ ପାଇଥିଲେ। ସେ କଂଗ୍ରେସ ପ୍ରାର୍ଥୀ ତଥା ଅଭିନେତା ସଞ୍ଜୟ ଦତ୍ତଙ୍କ ଭଉଣୀ ପ୍ରିୟା ଦତ୍ତଙ୍କୁ ହରାଇଥିଲେ। ସେହିପରି ୨୦୧୪ରେ ମଧ୍ୟ ପୁନମ ମହାଜନ ବିଜେପି ଟିକେଟ୍‌ରେ ଏହି ଆସନରୁ ନିର୍ବାଚନ ଲଢ଼ି ଜିତିଥିଲେ।

Leave a Reply

Your email address will not be published. Required fields are marked *