Spread the love

ଚେନ୍ନାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ୍‌ଶୋ’କୁ ମିଳିଲା ଅନୁମତି। ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ଶୋ’କୁ କୋଏମ୍ବାଟୁର ଜିଲ୍ଲା ପୁଲିସ୍ ଅନୁମତି ଦେବାକୁ ମନା କରି ଦେଇଥିବା ବେଳେ ମାଡ୍ରାସ ହାଇକୋର୍ଟ ଆଜି ଦେଇଛନ୍ତି ଅନୁମତି। ମାର୍ଚ୍ଚ ୧୮ ତାରିଖରେ କୋଏମ୍ବାଟୁରରେ ହେବ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ଶୋ’।

ତାମିଲନାଡୁର କୋଏମ୍ବାଟୁରରେ ମାର୍ଚ୍ଚ ୧୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ଶୋ’ କରିବା ପାଇଁ ଅନୁମତି ଦେବାକୁ ଜିଲ୍ଲା ପୁଲିସ୍ ନିକଟରେ ଆବେଦନ କରିଥିଲା ବିଜେପି। ହେଲେ ବିଭିନ୍ନ କାରଣ ଦର୍ଶାଇ କୋଏମ୍ବାଟୁର ଜିଲ୍ଲା ପୁଲିସ ଅନୁମତି ଦେଇ ନଥିଲା। ଜିଲ୍ଲା ପୁଲିସ୍ ପକ୍ଷରୁ ଦର୍ଶାଯାଇଥିବା ବିଭିନ୍ନ କାରଣ ମଧ୍ୟରେ ରହିଥିଲା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରତି ସମ୍ଭାବ୍ୟ ବିପଦ। ତା’ ସହିତ କୋଏମ୍ବାଟୁରର ସାଂପ୍ରଦାୟିକ ଇତିହାସକୁ ଦୃଷ୍ଟିରେ ରଖିଲେ ଏହି ରୋଡ୍‌ଶୋ’ ପାଇଁ ଅନୁମତି ଦେବା ଠିକ ହେବ ନାହିଁ ବୋଲି ପୁଲିସ୍ କହିଥିଲା। ସେହିପରି ସାଧାରଣ ଜନତା (ବିଶେଷ କରି ଛାତ୍ରଛାତ୍ରୀ) ଏହି ରୋଡ୍‌ଶୋ’ ଦ୍ୱାରା ପ୍ରଭାବିତ ହୋଇପାରନ୍ତି ବୋଲି ଦର୍ଶାଇ ଅନୁମତି ଦେବାକୁ ମନା କରି ଦେଇଥିଲା କୋଏମ୍ବାଟୁର ଜିଲ୍ଲା ପୁଲିସ।
ବିଜେପି ୧୮ ତାରିଖରେ କୋଏମ୍ବାଟୁରରେ ରୋଡ୍‌ଶୋ’ କରିବାକୁ ଯୋଜନା କରିଥିବା ବେଳେ ପୁଲିସ୍ ପକ୍ଷରୁ କୁହାଯାଇଥିଲା ଯେ ସେହିଦିନ ଓ ତା’ପର ଦିନ ଅନେକ ପରୀକ୍ଷା ରହିଛି। ଯେଉଁ ବାଟ ଦେଇ ଏହି ରୋଡ୍‌ଶୋ’ ଯିବ ବୋଲି ପ୍ରସ୍ତାବ ଦିଆଯାଇଥିଲା, ସେଠାରେ ଅନେକ ସ୍କୁଲ ରହିଛି ବୋଲି ପୁଲିସ ପକ୍ଷରୁ କୁହାଯାଇଥିଲା।

Leave a Reply

Your email address will not be published. Required fields are marked *