Spread the love

 

rahul-jagaran-english

ନୂଆଦିଲ୍ଲୀ : ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଜଣେ ବ୍ୟକ୍ତିଙ୍କୁ କୁକୁର ଖାଇବା ବିସ୍କୁଟ ଦେଉଥିବା ବେଳର ଭିଡିଓ ସାମ୍ନାକୁ ଆସିଥିଲା। ଏହାକୁ ବିଜେପି ଆଇଟି ସେଲ ପକ୍ଷରୁ ପୋଷ୍ଟ କରାଯାଇଥିବା ବେଳେ ଏହା ବେଶ ଭାଇରାଲ ହୋଇଥିଲା। ଏହାକୁ ନେଇ ଅନେକ ଗଣମାଧ୍ୟମ ବିଭିନ୍ନ ପ୍ରକାରର ଖବର ମଧ୍ୟ ପ୍ରକାଶ କରିଥିଲେ। ଏହି ଘଟଣାକୁ ନେଇ ବିଜେପି ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିବାକୁ ମଧ୍ୟ ପଛାଇ ନଥିଲା।
ତେବେ ପ୍ରକୃତରେ ରାଲି ବେଳେ କ’ଣ ଘଟିଥିଲା ଓ ରାହୁଲ କାହିଁକି ଜଣେ ବ୍ୟକ୍ତିଙ୍କୁ କୁକୁର ଖାଇବା ବିସ୍କୁଟ ଦେଇଥିଲେ, ତା’ ଉପରୁ ପରଦା ହଟିଛି। ନିଜେ ରାହୁଲ ଗାନ୍ଧି ପୂରା ଘଟଣା ପଛର ସତ ସାମ୍ନାକୁ ଆଣିଛନ୍ତି। ଏଥିସହ ସେ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି।
ଝାରଖଣ୍ଡରେ ଭାରତ ଯୋଡ଼ୋ ଯାତ୍ରା କରୁଥିବା ବେଳେ ରାହୁଲ ଗାନ୍ଧି ଗୋଟିଏ କୁକୁରକୁ ବିସ୍କୁଟ ଖାଇବାକୁ ଦେଇଥିଲେ। କିନ୍ତୁ ପ୍ରବଳ ଭିଡ଼ ଯୋଗୁ କୁକୁରଟି ରାହୁଲ ଗାନ୍ଧିଙ୍କ ହାତରୁ ବିସ୍କୁଟ ଖାଇ ନଥିଲା। ରାହୁଲ ଉକ୍ତ ବିସ୍କୁଟକୁ କୁକୁରର ମାଲିକଙ୍କୁ ଦେଇଥିଲେ। ବାସ୍‌ ଏହାକୁ ବିଜେପି ଆଇଟି ସେଲ ପକ୍ଷରୁ ପୋଷ୍ଟ କରି ଭାଇରାଲ କରାଯାଇଥିଲା। କୁକୁର ନ ଖାଇବାରୁ ରାହୁଲ ଗାନ୍ଧି କଂଗ୍ରେସର ଜଣେ କର୍ମୀଙ୍କୁ ଉକ୍ତ ବିସ୍କୁଟ ଦେଇଥିବା ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଅଭିଯୋଗ କରିଥିଲେ।
ଏ ସମ୍ପର୍କରେ ରାହୁଲ ଗାନ୍ଧିଙ୍କୁ ପଚରା ଯିବାରୁ ସେ କହିଛନ୍ତି, “କୁକୁରଟି ଡରି ଯିବା ସହ ଥରୁଥିଲା। ମୁଁ ତାକୁ ଯେତେବେଳେ ବିସ୍କୁଟ ଦେଲି ସେ ପୂରା ଡରି ଯାଇଥିଲା। ତେଣୁ ମୁଁ କୁକୁର ମାଲିକଙ୍କୁ ବିସ୍କୁଟ ଦେବା ସହ ତାଙ୍କ ହାତରୁ ସେ ଖାଇବ ବୋଲି କହିଥିଲି। ମାଲିକ ଜଣଙ୍କ କୁକୁରକୁ ବିସ୍କୁଟ ଦେଇଥିଲେ ଓ ସେ ମଧ୍ୟ ଖାଇଥିଲା। ଏଥିରେ ଅସୁବିଧା କ’ଣ ହୋଇଛି?”
ଅଯଥା ଏପରି ପ୍ରସଙ୍ଗ ଉଠା ଯାଉଥିବାରୁ ରାହୁଲ ବିରକ୍ତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “କୁକୁରମାନଙ୍କ ସହ ବିଜେପି ନେତାମାନଙ୍କର ସମସ୍ୟା କ’ଣ? କୁକୁରମାନେ ସେମାନଙ୍କର କି ପ୍ରକାରର କ୍ଷତି କରୁଛନ୍ତି?”

 

Leave a Reply

Your email address will not be published. Required fields are marked *