
ଓଡ଼ିଶା ଖଣି ନିଗମ(ଓଏମ୍ସି) ମୋଟ୍ ୯୭୪ ହେକ୍ଟର ଜମିକୁ ଲିଜ୍ ସୂତ୍ରରେ ନେଇଥିଲେ। ବ୍ୟବସାୟ ଅନୁକୂଳ କ୍ରୋମାଇଟ୍ ମିଳିବା ସମ୍ଭାବନା ନଥିବାରୁ ଗତ ନଭେମ୍ବର ୧୪ ତାରିଖରେ ଓଏମ୍ସି ରାଜ୍ୟ ସରକାରଙ୍କ ଖଣି ବିଭାଗକୁ ୩୫୦ ହେକ୍ଟର ଜମି ଫେରାଇ ଦେଇଥିଲେ। ଓଏମ୍ସି ପକ୍ଷରୁ କାଳିଆପାଣି ଖଣି ପ୍ରବନ୍ଧକ ସତ୍ୟଶିବ ଦାସ ଓ ଯାଜପୁରରୋଡ଼ ସର୍କଲ ଖଣି ଅଧିକାରୀ ତରାଇଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମାରେ ୨ କନିଷ୍ଠ ଖଣି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସାହୁ ଓ ପୁନମ୍ ବେହେରା ଏବଂ ବନ ବିଭାଗ ପକ୍ଷରୁ ବରିଷ୍ଠ ବନରକ୍ଷୀ ଇପସିତରାୟ ନାଏକ, ଓଏମ୍ସି ସର୍ଭେୟର ତରୁଣ କୁମାର ପ୍ରଧାନ ଓ ମାଇନିଂ ମେଟ୍ ପୂର୍ଣ୍ଣଚନ୍ଦ୍ର ମହାନ୍ତ ପକ୍ଷଭୁକ୍ତ ଥିଲେ। ମାତ୍ର, ରାଜସ୍ବ ବିଭାଗ ଖାତାକୁ ଆସିବା ପୂର୍ବରୁ ମାଫିଆମାନେ ଏହି ଜମିକୁ ନିଜ କବ୍ଜାକୁ ନେଇଯାଇଛନ୍ତି। ପୂର୍ବରୁ ମଧ୍ୟ ଅନେକ ସରକାରୀ ଓ ଜଙ୍ଗଲ କିସମ ଜମି ହାତେଇ ସାରିଛନ୍ତି। ଏଠାରେ ମାଫିଆଙ୍କ ନିଜସ୍ବ ପ୍ରସ୍ତୁତ ନକଲି ନକ୍ସାରେ ବିନା ରେଜିଷ୍ଟ୍ରି ଓ ବିନା ଷ୍ଟାମ୍ପ୍ ପେପରରେ ଜମି କିଣାବିକା ଚାଲିଛି। ବିକ୍ରୟ ଓ ଘର ନିର୍ମାଣ ଯୋଜନାରେ ଶହଶହ ସିମେଣ୍ଟ ଖୁଣ୍ଟ ପୋତି ତାରବାଡ଼ ବୁଲାଯାଇ ମାଳମାଳ ପ୍ଲଟ୍ ପ୍ରସ୍ତୁତ କରାଯାଇଛି। ଏସବୁ ଜମିରୁ ବଡ଼ବଡ଼ ଗଛ କଟା ଯାଉଥିବା ଦେଖିବାକୁ ମିଳିଛି। ମାଫିଆମାନେ ଆଇନକୁ ଦଳିମକଚି ବଡ଼ବଡ଼ କାଠଗଣ୍ଡି ସବୁକୁ ଟ୍ରାକ୍ଟର ଲଗାଇ ବୋହି ନେଉଥିଲେ ହେଁ ବନ ବିଭାଗ ନିରବଦ୍ରଷ୍ଟା ସାଜିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଜମି ଚିହ୍ନଟ କାମରେ ଆସୁଥିବା ସରକାରୀ କର୍ମଚାରୀଙ୍କୁ ମାଫିଆମାନେ ନାଲିଆଖି ଦେଖାଉଥିବା ଅଭିଯୋଗ ହୋଇଛି। ଏହାସତ୍ତ୍ବେ ବି ମାଫିଆମାନେ ଏହିଭଳି ବେଆଇନ କାର୍ଯ୍ୟ କରିଚାଲୁଥିବା ବେଳେ ସରକାରୀ କଳ କିଭଳି ଚୁପ୍ ବସିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପରବର୍ତ୍ତୀ ସମୟରେ ସରକାର ଜବରଦଖଲ ଜମିକୁ ନିଜ ଦଖଲକୁ ନେବାକୁ ଉଦ୍ୟମ କଲେ ଉକ୍ତ ଜମିରେ ଗଢ଼ି ଉଠିଥିବା କୋଠାବାଡ଼ି ଓ ଘରଦ୍ବାରର ଭବିଷ୍ୟତ କ’ଣ ହେବ ବୋଲି ପ୍ରଶ୍ନ ବି ସେମାନେ ପ୍ରଶ୍ନ ଉଠାଇଛନ୍ତି।