
ରାତି ପ୍ରାୟ ୨ଟା ବେଳେ ଉଭୟ ଜିଲ୍ଲାପାଳ ଓ ଡିଆଇଜି ବାହାରକୁ ଆସି କୋର୍ଟଙ୍କ ନିୟମର ଅନୁପାଳନ କରାଯାଇ ପୂଜାର୍ଚ୍ଚନା କରାଯାଇଥିବା ସୂଚନା ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାସ୍ତା ପ୍ରସ୍ତୁତ ସହ ବ୍ୟାରିକେଟ ହଟାଯିବା ସହ ସୁରକ୍ଷାର ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ପୁଲିସ୍ କମିଶନର ଅଶୋକ ମୁଥା ଜୈନ ସୂଚନା ଦେଇଥିଲେ।
ଏହି ମାମଲାରେ ହିନ୍ଦୁ ପକ୍ଷର ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ କରାଯାଇଛି। କେବିଏମ୍ ଟ୍ରଷ୍ଟର ପୂଜାରୀଙ୍କ ଦ୍ୱାରା ମୂର୍ତ୍ତି ସ୍ଥାପନ କରାଯିବା ପରେ ଶୟନ ଆଳତି କରାଯାଇଛି। ଏଥିସହ ଅଖଣ୍ଡ ଜ୍ୟୋତି ବି ପ୍ରଜ୍ୱଳନ କରାଯାଇଛି। ଏବେଠୁ ପ୍ରତିଦିନ ସକାଳେ ମଙ୍ଗଳ ଆଳଳି, ଭୋର ଆଳତି ଓ ସନ୍ଧ୍ୟା ଆଳତି ସହ ଶୟନ ଆଳତି ବି କରାଯିବ ।
ଅଦାଲତ ଦ୍ୱାରା ଏପରି ଐତିହାସିକ ରାୟ ଆସିବା ପରେ ଆଇନଜୀବୀ ସୋହନ ଲାଲ ଆର୍ଯ୍ୟ କହିଛନ୍ତି, ଆଜି ଆମେ ବହୁତ ଗର୍ବିତ ଅନୁଭବ କରୁଛୁ। ଅଦାଲତଙ୍କ ନିର୍ଦ୍ଦେଶ ପରେ ଜ୍ଞାନବ୍ୟାପି ମସଜିଦର ବେସ୍ମେଣ୍ଟରେ ପୂଜାର୍ଚ୍ଚନା ବ୍ୟବସ୍ଥିତ ହୋଇ ଯାଇଛି। କିନ୍ତୁ ଏହା ଏପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଖୋଲା ହୋଇ ନାହିଁ ।
ଯେଉଁ ତହଖାନେରେ ପୂଜାର୍ଚ୍ଚନା ପାଇଁ ଅନୁମତି ମିଳିଛି, ତାହା ନନ୍ଦୀ ଭଗବାନଙ୍କ ଠିକ୍ ସାମନାରେ ରହିଛି। ବ୍ୟାସଜୀ ତହଖାନେରେ ପୂଜା ଅଧିକାର ପାଇବା ପାଇଁ ମାମଲା କରାଯାଇଥିଲା ।
ଜ୍ଞାନବ୍ୟାପୀ ମସଜିଦ୍ ପରିସରରେ ଥିବା ଶୃଙ୍ଗାର ଗୌରୀ ମନ୍ଦିରରେ ୧୯୯୧ ମସିହା ପୂର୍ବରୁ ଯେପରି ପୂଜାର୍ଚ୍ଚନା ହେଉଥିଲା ଏବେ ବି ସେପରି ପୂଜାର୍ଚ୍ଚନା କରିବା ପାଇଁ ୫ ମହିଳା ୧୮ ଅଗଷ୍ଟ ୨୦୨୧ରେ ବାରଣାସୀ ଜିଲ୍ଲା କୋର୍ଟରେ ଆବେଦନ କରିଥିଲେ। ଏପରି କି ମସଜିଦ ବାହ୍ୟ କାନ୍ଥରେ ଶୋଭା ପାଉଥିବା ହିନ୍ଦୁ ଦେବାଦେବୀଙ୍କ ନିୟମିତ ପୂଜାର୍ଚ୍ଚନା ପାଇଁ ମଧ୍ୟ ଅନୁମତି ଦେବାକୁ ସେମାନେ କହିଥିଲେ।
ଜ୍ଞାନବ୍ୟାପୀ ମସଜିଦ୍ ଥିବା ସ୍ଥାନରେ ପୂର୍ବରୁ ମନ୍ଦିର ଥିବା ଦାବି କରି ଆସୁଛି ହିନ୍ଦୁ ପକ୍ଷ। ଏନେଇ ମାମଲା ମଧ୍ୟ ହୋଇଥିଲା। ବାରାଣସୀ କୋର୍ଟ ଏହାର ଶୁଣାଣି କରି ସର୍ଭେ ଦାୟିତ୍ୱ ଏଏସଆଇକୁ ହସ୍ତାନ୍ତର କରିଥିଲେ। କିନ୍ତୁ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ୍ କମିଟି ଏହାକୁ ଚ୍ୟାଲେଞ୍ଜ କରି ଉତ୍ତର ପ୍ରଦେଶ ହାଇକୋର୍ଟରେ ଆବେଦନ କରିଥିଲା। ଏହାପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା କମିଟି।
ସୁପ୍ରିମକୋର୍ଟ ସମସ୍ତ ପକ୍ଷ ଶୁଣିବା ପରେ ବାସ୍ତବତାକୁ ଜାଣିବା ପାଇଁ ଏଏସଆଇର ସାଇଣ୍ଟଫିକ୍ ସର୍ଭେ ଆବଶ୍ୟକ ବୋଲି କହିଥିଲେ। ଏଥିସହ ମସଜିଦର ବେସମେଣ୍ଟକୁ ସିଲ କରି ସର୍ଭେ ପାଇଁ ଅନୁମତି ଦେଇଥିଲେ।