
ସୂଚନାଯୋଗ୍ୟ, ଛତିଶଗଡ଼ର ଏକ ସ୍କୋର୍ପିଓ ଯାତ୍ରୀବାହୀ ଅଟୋ ଓ ୨ଟି ବାଇକ୍କୁ ଧକ୍କା ଦେଇଥିଲା।। କୋରାପୁଟ ଜିଲ୍ଲା କୋଟପାଡରୁ ବୋରିଗୁମ୍ମା ଯାଇଥିବା ୬୩ ଜାତୀୟ ରାଜପଥ ଉପରେ ବିଜାପୁର ଗାଁରେ ଆଜି ଅପରାହ୍ଣ ପ୍ରାୟ ସାଢ଼େ ୨ ଟାରେ ଏହି ଦୁର୍ଘଟଣା ଘଟିଥିଲା। ଛତିଶଗଡ଼ ନମ୍ବର ଥିବା ସ୍କୋର୍ପିଓ ବୋରିଗୁମ୍ମା ଅଭିମୁଖେ ଯାଉଥିବା ବେଳେ ବିଜାପୁରରେ ପ୍ରଥମେ ଏକ ବାଇକ୍କୁ ଧକ୍କା ଦେଇ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଇଥିଲା। ଏହା ପରେ ସ୍କୋର୍ପିଓଟି ପୁଣି ଥରେ ଅନ୍ୟ ଏକ ବାଇକ୍କୁ ଧକ୍କା ଦେଇ ନିକଟସ୍ଥ ଏକ କଲଭର୍ଟ ଭିତରକୁ ପଶିଯାଇଥିଲା। ଅଟୋରେ ପ୍ରାୟ ୧୫ଜଣ ଯାତ୍ରୀ ଥିଲେ। ଘଟଣାସ୍ଥଳରେ ତିନିଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକମାନଙ୍କ ମଧ୍ୟରୁ ୨ ଜଣ ଅଟୋର ଯାତ୍ରୀ ଥିବା ବେଳେ ତୃତୀୟ ବ୍ୟକ୍ତି ବାଇକ ଚାଳକ। ଆହତ ୧୦ ଜଣଙ୍କୁ ଜୟପୁର ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରୁ ଗୁରୁତରମାନଙ୍କୁ କୋରାପୁଟ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି।
ଏହି ଦୁର୍ଘଟଣା ପରେ ସ୍କୋର୍ପିଓ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। କିନ୍ତୁ ସ୍କୋର୍ପିଓରେ ବସିଥିବା ଅନ୍ୟ ୪ ଜଣଙ୍କୁ ଗ୍ରାମବାସୀ ପୁଲିସରେ ଜିମା ଦେଇଥିଲେ। ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍, ଅଟୋ ଓ ସ୍କୋର୍ପିଓକୁ ନିଜ ହେପାଜତକୁ ନେଇ ଘଟଣାର ତଦନ୍ତ କରୁଛି। ଅନ୍ୟପଟରେ ଉତ୍ତେଜିତ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ ଦୀର୍ଘ ସମୟ ହେଲା ଅଟକି ରହିଥିଲା। ଲୋକଙ୍କୁ ବୁଝାସୁଝା କଲା ପରେ ରାସ୍ତାରୋକ ହଟିଥିଲା।